ଭୁବନେଶ୍ୱରର ‘ମାଷ୍ଟର କ୍ୟାଣ୍ଟିନ୍’ର ନାଁ ବଦଳିବ, ଓଡ଼ିଆ ଅସ୍ମିତାକୁ ଦିଆଯିବ ପ୍ରାଧାନ୍ୟ
ଭୁବନେଶ୍ବର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରର ଐତିହାସିକ ଓ ଜଣାଶୁଣା ସ୍ଥାନ ‘ମାଷ୍ଟର କ୍ୟାଣ୍ଟିନ୍’ର ନାମ ପରିବର୍ତ୍ତନ କରାଯିବ। ଏହି ସ୍ଥାନକୁ ଏକ ନୂତନ ଓଡ଼ିଆ ନାମ ଦିଆଯିବ, ଯାହା ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ପ୍ରତିଫଳିତ କରିବ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିବର୍ତ୍ତନର ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ, ରାଜ୍ୟରେ ଇଂରେଜ ଅମଳରୁ ଅଛି ଏଭଳି ଅନେକ ନାମ ଓଡ଼ିଆକରଣ କରାଯିବ। ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଚୂଡାନ୍ତ ହେବ।
ମାଷ୍ଟର କ୍ୟାଣ୍ଟିନ୍ ଭୁବନେଶ୍ୱର ରେଳଷ୍ଟେସନ୍ ସାମ୍ନାରେ ଅବସ୍ଥିତ ଏକ ବ୍ୟସ୍ତବହୁଳ ସ୍ଥାନ। ଐତିହାସିକ ଅନିଲ ଧୀରଙ୍କ ଅନୁସାରେ, ୧୯୪୯ ମସିହାରେ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ସମୟରେ ପଞ୍ଜାବର ‘ମାଷ୍ଟର କନ୍ଷ୍ଟ୍ରକସନ୍ କମ୍ପାନି’ ଏଠାରେ ନିର୍ମାଣ କାର୍ଯ୍ୟ କରୁଥିଲା। କମ୍ପାନିର ମାଲିକ ବାବୁରାମ ଲାମ୍ବା ଦିଲ୍ଲୀରୁ ପାଞ୍ଚଜଣ ହଂସ ଭାଇଙ୍କୁ କାମ ପାଇଁ ଡାକିଥିଲେ।
ପରେ, ହଂସ ପରିବାର ଏଠାରେ ରହିବା ଆରମ୍ଭ କଲେ ଏବଂ ସେମାନଙ୍କ ଦ୍ୱାରା ଖୋଲାଯାଇଥିବା ଏକ କ୍ୟାଣ୍ଟିନ୍ ସମୟକ୍ରମେ ‘ମାଷ୍ଟର କ୍ୟାଣ୍ଟିନ୍’ ନାମରେ ପରିଚିତ ହେଲା। ଏହି କ୍ୟାଣ୍ଟିନ୍ର ସିଙ୍ଗଡା ଓ ରସଗୋଲା ଲୋକପ୍ରିୟ ହୋଇଥିବାରୁ, ଏହି ସ୍ଥାନ ଛକର ନାମ ମଧ୍ୟ ‘ମାଷ୍ଟର କ୍ୟାଣ୍ଟିନ୍ ଛକ’ ଭାବେ ପରିଚିତି ପାଇଲା।
ମନ୍ତ୍ରୀ ମହାପାତ୍ର ଜଣାଇଛନ୍ତି ଯେ, ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଭାଷାକୁ ସମ୍ମାନ ଦେବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ନାମ ପରିବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।