ସାପକୁ ଧରିବାକୁ ଆସିବାରୁ, ସାପ ଭଳି ତଳେ ଗଡ଼ିଗଡ଼ି ଚିତ୍କାର କଲା ଝିଅ
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲା ଚକରାପାଳ ଗ୍ରାମରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯେଉଁଥିରେ ଜଣେ ଯୁବତୀ ଝିଅ ସାପ ଭଳି ଆଚରଣ କରିବା ଦେଖାଯାଇଛି। ଘଟଣାଟି ଉଦଳା ବ୍ଲକ ଅନ୍ତର୍ଗତ ଚକରାପାଳ ଗ୍ରାମର ରବୀନ୍ଦ୍ର ସିଂଙ୍କ ଘରେ ଘଟିଥିଲା। ଏକ ବିରାଟ ନାଗ ସାପ ଘରେ ପଶିଥିବାର ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାପଟି ମାଟିକାନ୍ଥ ଭିତରେ ଲୁଚିଯାଇଥିବାରୁ ସେମାନେ କାନ୍ଥ ଭାଙ୍ଗିଥିଲେ।
ତା’ପରେ ହଠାତ୍ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ସାପ ପରି ଫଣା ଟେକି ଫଁଫଁ କରି ଚିତ୍କାର କରିବା ଆରମ୍ଭ କଲେ। ସେ କହିଲେ, “ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏଠାରେ ରହିବି!” ଏହି ଦୃଶ୍ୟ ଦେଖି ସାପଧରାଳି ଏବଂ ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲେ।
ପରେ ମିନାକ୍ଷୀ କହିଲେ ଯେ ସେ ବେଳେ ବେଳେ ସାପ ରୂପ ଧାରଣ କରନ୍ତି ଏବଂ ତାଙ୍କ ଦେହରେ ସାପ ଭଳି ଅନୁଭବ ହୁଏ। ରବୀନ୍ଦ୍ର କହିଛନ୍ତି ଯେ, ସାପକୁ ଆଘାତ ଦେଲେ ତାଙ୍କ ଝିଅ ଦେହରେ ମଧ୍ୟ ଆଘାତ ଲାଗେ। ଗତକାଲି ସେ ସାପଟିକୁ ବାଡିରେ ମାଡିଥିବା ବେଳେ ମିନାକ୍ଷୀଙ୍କ ଦେହରେ ଦାଗ ଦେଖାଦେଇଥିଲା।
ଗ୍ରାମବାସୀଙ୍କ କଥା ଅନୁଯାୟୀ, ଏହିଭଳି ଘଟଣା ପ୍ରାୟ ଦୁଇ ବର୍ଷ ଧରି ଘଟୁଛି, ବିଶେଷକରି ନାଗପଞ୍ଚମୀ ଦିନ। ଆଧୁନିକ ଯୁଗରେ ଏଭଳି ଘଟଣା ଶୁଣିବାକୁ ଅସ୍ୱାଭାବିକ ଲାଗୁଥିବା ବେଳେ, ଏହା ସ୍ଥାନୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ଘଟଣାକୁ ନେଇ ହତବାକ୍ ହୋଇଯାଇଛନ୍ତି।