୨୦୨୭ରେ ଜାତି ଜନଗଣନା: ମାର୍ଚ୍ଚ ୧ରେ ଆରମ୍ଭ
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତିଗତ ଜନଗଣନା କରାଯିବ। ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ଏବଂ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଦୁଇ ପର୍ଯ୍ୟାୟରେ ଏହି ଗଣନା କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହି ପଦକ୍ଷେପକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ସମଗ୍ର ଦେଶରେ ଜାତି ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରେ ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ୍ ୨୦୨୪ରେ କେନ୍ଦ୍ର ସରକାର ଜାତି ଜନଗଣନା କରାଯିବ ବୋଲି ଘୋଷଣା କରିଥିଲେ, ଯାହାକି ବିରୋଧୀ ଦଳ ଏବଂ ରାଜନୈତିକ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।
ଏହି ଜନଗଣନା ଦୁଇ ପର୍ଯ୍ୟାରେ ସମ୍ପାଦିତ ହେବ ଏବଂ ଏଥିରେ ପୁରୁଷ ଓ ମହିଳାଙ୍କୁ ଜାତି, ଉପଜାତି ସହିତ ଅନ୍ୟାନ୍ୟ ତଥ୍ୟ ପାଇଁ ଏକ ବିସ୍ତୃତ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି। ୩୦ ଏପ୍ରିଲ୍ରେ ସରକାର ନିଶ୍ଚିତ କରିଥିଲେ ଯେ ଜାତି ଏବଂ ଉପଜାତି ଗଣନା ପରବର୍ତ୍ତୀ ଜନଗଣନାର ଅଂଶ ହେବ। ଭାରତରେ ଶେଷ ଜାତି ଜନଗଣନା ୧୯୩୧ରେ ବ୍ରିଟିଶ ଶାସନାମଳରେ ହୋଇଥିଲା, ଯେଉଁଥିରେ ୪,୦୦୦ରୁ ଅଧିକ ଜାତି ତାଲିକାଭୁକ୍ତ ହୋଇଥିଲା।
କେନ୍ଦ୍ର କ୍ୟାବିନେଟ୍ ଏହି ଜାତି ଜନଗଣନାକୁ ଅନୁମୋଦନ ଦେଇଥିଲା। ବିଜେପି କଂଗ୍ରେସ ଉପରେ ଅଭିଯୋଗ କରିଛି ଯେ ସେମାନେ ଜାତି ଜନଗଣନାକୁ ବାଧା ଦେଉଛନ୍ତି। ଉଲ୍ଲେଖନୀୟ ଯେ, ୧୯୪୭ ପରଠାରୁ ଭାରତରେ କୌଣସି ଜାତି ଜନଗଣନା ହୋଇନାହିଁ। ୨୦୧୧ର ଶେଷ ଜନଗଣନା ପରେ କୋଭିଡ୍-୧୯ ଯୋଗୁଁ ୨୦୨୧ର ଜନଗଣନା ସ୍ଥଗିତ ହୋଇଥିଲା, ଫଳରେ ୨୦୨୭ରେ ୧୬ ବର୍ଷ ପରେ ଜନଗଣନା ହେବ।