FeaturedGeneralLatest

୨୧ ଜୁଲାଇରୁ ସଂସଦର ମୌସୁମୀ ଅଧିବେଶନ, ଆସିବ ବୀମା ସଂଶୋଧନ ବିଲ୍

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ତାରିଖ ଘୋଷଣା କରିଛନ୍ତି। ଅପରେସନ ସିନ୍ଦୁର ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ବିରୋଧୀ ଦଳଗୁଡ଼ିକ ସ୍ୱତନ୍ତ୍ର ଅଧିବେଶନ ଦାବି କରୁଥିବା ମଧ୍ୟରେ ସରକାର ଏହି ନିଷ୍ପତି ନେଇଛନ୍ତି।

ମୌସୁମୀ ଅଧିବେଶନରେ ବୀମା କ୍ଷେତ୍ରରେ ପ୍ରମୁଖ ସଂସ୍କାର ଆଣିବା ପାଇଁ ବୀମା ସଂଶୋଧନ ବିଲ୍ ଆଗତ କରାଯାଇପାରିବ। ଏଥିରେ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫଡିଆଇ) ସୀମା ୧୦୦% କରିବାର ପ୍ରସ୍ତାବ ରହିଛି। ଗଣମାଧ୍ୟମ ଖବର ଅନୁଯାୟୀ, ବିଲ୍ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଲାଣି ଏବଂ ଶୀଘ୍ର କ୍ୟାବିନେଟ୍ ସମକ୍ଷରେ ଉପସ୍ଥାପିତ ହେବ। କ୍ୟାବିନେଟ୍ ଅନୁମୋଦନ ପରେ ଆର୍ଥିକ ସେବା ବିଭାଗ ଏହାକୁ ସଂସଦରେ ଉପସ୍ଥାପନ କରିବ।

ଏହାପୂର୍ବରୁ, ବଜେଟ୍ ଅଧିବେଶନ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରେ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ସମାପ୍ତ ହୋଇଥିଲା।