ଆସନ୍ତା ୧୨ ତାରିଖରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ
ଭୁବନେଶ୍ୱର (ସଂକେତ ଟିଭି): ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ, ଆଗାମୀ ସପ୍ତାହରେ ରାଜ୍ୟବ୍ୟାପୀ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୨ ତାରିଖରେ ବିଜେପି ସରକାରର ପ୍ରଥମ ବାର୍ଷିକୀ ଅବସରରେ ଏହି ୫୦୦ ବିଦ୍ୟାଳୟର ଶିଳାନ୍ୟାସ କରିବେ। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହେବ, ଯେଉଁଥିରେ ସତ୍ୟବାଦୀ ବନ ବିଦ୍ୟାଳୟ ପରି ଆଦର୍ଶ ଶିକ୍ଷା ପରିବେଶ ରହିବ।
ଏହି ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କର ଭାଷା ଜ୍ଞାନ ଓ ଗାଣିତିକ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବ। ଉନ୍ନତ ଶିକ୍ଷା ପ୍ରଣାଳୀ, ଭିତ୍ତିଭୂମି ଓ ସାମଗ୍ରୀକ ବିକାଶ ମାଧ୍ୟମରେ ପିଲାମାନଙ୍କ ମୌଳିକ ଶିକ୍ଷା ଓ ବୌଦ୍ଧିକ କ୍ଷମତା ବୃଦ୍ଧି କରାଯିବ। ରାଜ୍ୟ ସରକାର ୨୦୨୫-୨୬ ବଜେଟରେ ଏହି ଯୋଜନା ପାଇଁ ୨,୯୬୦ କୋଟି ଟଙ୍କା ବରାଦ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷରେ ୬,୭୯୪ ଗ୍ରାମ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯିବ।
କୋଭିଡ ସତର୍କତା: ଏହି ମଧ୍ୟରେ, କୋଭିଡ ଆଶଙ୍କା ମଧ୍ୟରେ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସାବଧାନତା ମାନିବାକୁ ପରାମର୍ଶ ଦିଆଯିବ। ଅସୁସ୍ଥ ପିଲାମାନେ ସ୍କୁଲ ଆସିବେ ନାହିଁ ଏବଂ ଲକ୍ଷଣ ଦେଖାଗଲେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯିବ।