ରାସନ କାର୍ଡ E-KYC ପ୍ରକ୍ରିୟା ଜୁନ୍ ରେ ସମାପ୍ତ: ବାଦ୍ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର (ସଂକେତ ଟିଭି): ରାସନ କାର୍ଡ ପାଇଁ E-KYC (ଇଲେକ୍ଟ୍ରୋନିକ୍ ନୋଲେଜ୍ ୟୁଅର କଷ୍ଟୋମର୍) ପ୍ରକ୍ରିୟା ଜୁନ୍ ମାସ ଶେଷ ହେବ। ଏହି ପ୍ରକ୍ରିୟାରୁ ବାଦ୍ ହୋଇ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ସୁବିଧା ପାଇବାରୁ ବଞ୍ଚିତ ହୋଇପାରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୫% ରାସନ କାର୍ଡ ଧାରକ E-KYC କରି ସାରିଛନ୍ତି। ଯେଉଁମାନେ ଏହା କରିନାହାଁନ୍ତି, ସେମାନଙ୍କୁ ରାସନ ଯୋଜନାରୁ ବାଦ୍ ଦିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଜଣାଇଛନ୍ତି।
ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ, ରାଜ୍ୟରେ ଗତ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଜାରି କରାଯାଇନଥିଲା। ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ୧୭ ଲକ୍ଷ ନୂଆ ଆବେଦନ ଆସିଥିଲା। ଏଥିରୁ ୬ ଲକ୍ଷ କାର୍ଡ ଇତିମଧ୍ୟରେ ଜାରି କରାଯାଇସାରିଛି ଏବଂ ଅନ୍ୟ ୧୫ ଲକ୍ଷ କାର୍ଡ ଅନୁମୋଦନ ପାଇଁ ପ୍ରକ୍ରିୟାଧୀନ ଅଛି। ନୂଆ ଆବେଦନଗୁଡିକ କେବଳ ବ୍ଲକ କାର୍ଯ୍ୟାଳୟ ନୁହେଁ, ଜନ ସେବା କେନ୍ଦ୍ର (CSC) ମାଧ୍ୟମରେ ଅନ୍ଲାଇନ୍ ଆବେଦନ ମଧ୍ୟ ଗ୍ରହଣ କରାଯାଉଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ରହିଛି, ଯାହାଫଳରେ ଆବେଦନ କେନ୍ଦ୍ରଗୁଡିକରେ ଭିଡ ଦେଖାଯାଉଛି। ଏହି ଭିଡକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ଜଣାଇଛନ୍ତି।