FeaturedLatest

ମହୁଆ ମୋଇତ୍ରାଙ୍କୁ ବିବାହ କଲେ ପିନାକୀ ମିଶ୍ର

ନୂଆଦିଲ୍ଲୀ (ସଂକେତ ଟିଭି): ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ବିଜେଡି ନେତା ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ହୋଇଥିବାର ଖବର ଚର୍ଚ୍ଚାରେ ରହିଛି। ଜାତୀୟ ଗଣମାଧ୍ୟମ ଏବଂ ପିଟିଆଇ ରିପୋର୍ଟ ଅନୁଯାୟୀ, ଜର୍ମାନୀରେ ମେ ୩ ତାରିଖରେ ଦୁହେଁ ଗୁପ୍ତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ଫୋଟୋ ଭାଇରାଲ୍ ହେବା ପରେ ଏହି ଘଟଣା ଆଲୋଡ଼ନା ସୃଷ୍ଟି କରିଛି।

ମହୁଆ ମୋଇତ୍ରା ପଶ୍ଚିମବଙ୍ଗର କୃଷ୍ଣନଗର ସାଂସଦ ହୋଇଥିବା ବେଳେ ପିନାକୀ ମିଶ୍ର ପୁରୀର ପୂର୍ବତନ ସାଂସଦ ଏବଂ ବିଜେଡିର ବରିଷ୍ଠ ନେତା। ଦୁହେଁ ନିଜ ରାଜନୈତିକ ଜୀବନରେ ସଫଳ ହୋଇଥିବା ବେଳେ ବ୍ୟକ୍ତିଗତ ସମ୍ପର୍କ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ପିନାକୀଙ୍କ ପୂର୍ବତନ ସାଂସଦ ସାଥୀ ଗୌରହରି ପ୍ରଧାନ କହିଛନ୍ତି, “ମହୁଆ ଅନେକ ଥର ପୁରୀ ଆସି ପିନାକୀଙ୍କ ସହ ଜଗନ୍ନାଥ ଦର୍ଶନ କରିଥିଲେ। ୨୦୨୩ ରଥଯାତ୍ରାରେ ଦୁହେଁ ଏକାଠି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦେଖିଥିଲେ।”

୬୫ ବର୍ଷୀୟ ପିନାକୀ ଏହାପୂର୍ବେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇ ସନ୍ତାନ ଅଛନ୍ତି। ମହୁଆ ମଧ୍ୟ ଡେନମାର୍କର ବ୍ୟବସାୟୀ ଲାର୍ସ ବ୍ରୋରସେନଙ୍କୁ ବିବାହ କରି ପରେ ଛାଡପତ୍ର ନେଇଥିଲେ। ଟିଏମସି ନେତ୍ରୀଙ୍କ ଉପରେ ୨୦୨୩ରେ “ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେଇଥିବା” ଅଭିଯୋଗ ହୋଇଥିଲା, ଯାହାକି ତାଙ୍କୁ ସଂସଦ ସଦସ୍ୟତା ହରାଇବାକୁ ବାଧ୍ୟ କରିଥିଲା।

ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା ପିନାକୀ ଜଣେ ପ୍ରତିଷ୍ଠିତ ଓକିଲ। ସେ ୧୯୯୬ରେ ପୁରୀରୁ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କୁ ପରାସ୍ତ କରି ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କ ନାମ ଦେଶର ସର୍ବାଧିକ ଧନୀ ସାଂସଦଙ୍କ ତାଲିକାରେ ମଧ୍ୟ ରହିଛି।

ଏପର୍ଯ୍ୟନ୍ତ ମହୁଆ କିମ୍ବା ପିନାକୀ ଏହି ବିବାହ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।