RCB ମାର୍କେଟିଂ ହେଡ୍ ଗିରଫ, ଦଳାଚକଟା ଘଟଣାରେ ତଦନ୍ତ ଜାରି
ନୂଆଦିଲ୍ଲୀ (ସଂକେତ ଟିଭି): ବେଙ୍ଗଳୁରୁରେ ଘଟିଥିବା ଦଳାଚକଟା ଘଟଣାରେ RCB (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)ର ମାର୍କେଟିଂ ହେଡ୍ ନିଖିଲ ସୋସାଲେଙ୍କୁ ପୋଲିସ ଗିରଫ କରିଛି। ବେଙ୍ଗଳୁରୁ ଏୟାରପୋର୍ଟରୁ ମୁମ୍ଵାଇ ଯାଉଥିବା ବେଳେ ତାଙ୍କୁ ଅଟକ କରାଯାଇଛି। ଏହା ସହିତ, RCBର ବିଜୟ ଉତ୍ସବର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର ତିନି ଜଣକୁ ମଧ୍ୟ ପୋଲିସ ଅଟକ ରଖିଛି ଏବଂ ସେମାନଙ୍କ ପ୍ରତି ଜେରା ଜେରି ଚାଲିଛି।
ଏହାପୂର୍ବରୁ, ଏହି ଦୁଃଖଦ ଘଟଣାରେ ବେଙ୍ଗଳୁରୁ ପୋଲିସ କମିଶନରଙ୍କ ସମେତ ଅନେକ ଜ୍ୟେଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଲମ୍ବିତ କରିଥିଲେ। ଘଟଣାର ଗମ୍ଭୀରତା ଦେଖି ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।
ଉଲ୍ଲେଖ୍ୟ, RCB IPL ଟ୍ରଫି ଜିତିବା ପରେ ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ବିଜୟ ଉତ୍ସବ ଆୟୋଜିତ ହୋଇଥିଲା। ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ବାହାରେ ପ୍ରଶଂସକଙ୍କ ବିରାଟ ଭିଡ଼ ଜମା ହେବା ଫଳରେ ଦଳାଚକଟା ଘଟିଥିଲା। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଘଟଣାର ତଦନ୍ତ ଏବେ ତୀବ୍ର ଗତିରେ ଚାଲିଛି।