CulturalFeaturedLatestNews

ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ରଥଯାତ୍ରା ପରିଚାଳନାର ବ୍ୟବସ୍ଥା କଲେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ ଟିଭି): ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ନିର୍ବିଘ୍ନେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଇନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ ଏହି କମିଟିର ସଦସ୍ୟ ତାଲିକା ପ୍ରକାଶ କରାଯାଇଛି।

କମିଟିରେ ଆଇନ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ପରିବହନ ବିଭାଗର ମନ୍ତ୍ରୀମାନେ ସଦସ୍ୟ ଭାବେ ରହିଛନ୍ତି। ଆଇନ ବିଭାଗର ପ୍ରମୁଖ ସଚିବଙ୍କୁ କମିଟିର ସଂଯୋଜକ ଦାୟିତ୍ୱ ଦିଆଯାଇଛି।

ମହାପ୍ରଭୁଙ୍କ ୯ ଦିବସୀୟ ରଥଯାତ୍ରା ଆରମ୍ଭ ହେବାକୁ ଆଉ ମାତ୍ର ୨୦ ଦିନ ବାକି ଅଛି। ଏହି ଉତ୍ସବକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗ୍ୟ ପ୍ରସ୍ତୁତି କରୁଛନ୍ତି। ରଥଖଳାରେ ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟ ଜୋର୍ରେ ଚଳାଇଛନ୍ତି।

ଆଜି ରଥ ନିର୍ମାଣର ୩୫ତମ ଦିବସରେ ତିନି ରଥର ଚକ, ଅଖ ଓ ଥାକ ସହିତ ଦିଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଗୁଡ଼ିକର ଦଣ୍ଡା ଫ୍ରେମ୍‌ର ବିଭିନ୍ନ ଅଂଶ ନମ୍ବର କରାଯାଇ କଳସା ପାଇଁ ମାପ ଚିହ୍ନିତ କରାଯାଇଛି। ଅପରାହ୍ନରେ ତିନି ରଥର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ କରାଯାଇଥିଲା।

ନନ୍ଦିଘୋଷ ରଥର ଅଖଗୁଡ଼ିକର ସଂଶୋଧନ କାର୍ଯ୍ୟ ଚାଲିଥିବାରୁ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇପାରିନାହିଁ। ତାଳଧ୍ୱଜ ଓ ଦର୍ପଦଳନ ରଥର ଅଖଗୁଡ଼ିକ ସଠିକ୍ ଭାବେ ସଜ୍ଜିତ ହୋଇଥିବାରୁ ସେଗୁଡ଼ିକର ଦିଗ ନିର୍ଣ୍ଣୟ ସମ୍ପନ୍ନ ହୋଇଛି। ଚକ ଆଗକୁ ଗଡ଼ିନଯିବା ପାଇଁ ଦୁଇପାର୍ଶ୍ୱରେ ବାନ୍ଧ ଲଗାଯାଇଛି।