FeaturedLatestNews

ପିଏମ୍ ଆବାସ ଯୋଜନାରେ ମାଗଣା ବାଲି ଦେବେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ ଆବାସ) ଅନ୍ତର୍ଗତ ଘର ନିର୍ମାଣ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ଦୁଇ ଟ୍ରାକ୍ଟର୍ ବାଲି ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ ପରମିଟ୍ ଇସ୍ୟୁ କରାଯିବ ଏବଂ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି।

ସରକାର ଲୋକଙ୍କୁ ସହଜ ଏବଂ ସ୍ୱଳ୍ପ ଖର୍ଚ୍ଚରେ ଘର ନିର୍ମାଣ ପାଇଁ ବାଲି ପ୍ରାପ୍ତି ସୁଯୋଗ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି। ଏଥିପାଇଁ ବାଲି ଉଠାଣ ପ୍ରକ୍ରିୟାରେ ହାଇଓ୍ବା ବଦଳରେ ଅନ୍ୟ ଯାନ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ହାଇଓ୍ବା ଦ୍ୱାରା ୪୦ ଟନ୍ ବାଲି ବୋଝ ପରିବହନ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଦେଖାଯାଉଛି। ବାଲି ପରିବହନ ପାଇଁ କେଉଁ ଗାଡ଼ି ବ୍ୟବହୃତ ହେବ ଏବଂ କେତେ ପରିମାଣର ବାଲି ଅନୁମୋଦିତ ହେବ ତାହା ନିର୍ଦ୍ଧାରଣ କରିବାକୁ ଏକ ମାନକ କାର୍ଯ୍ୟପ୍ରଣାଳୀ (ଏସ୍‌ଓପି) ପ୍ରସ୍ତୁତ କରାଯାଉଛି।

ଅନ୍ୟ ଏକ ଘଟଣା ପ୍ରସଙ୍ଗରେ, କପ୍ତିପଦାରେ ସରକାରୀ ଅଧିକାରୀଙ୍କୁ ବାଲି ମାଫିଆଙ୍କ ଦ୍ୱାରା ଆକ୍ରମଣ ହେବା ଘଟଣାକୁ ସୁରେଶ ପୂଜାରୀ ନିନ୍ଦା କରି କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଅସ୍ୱାଭାବିକ ଏବଂ ଗ୍ରହଣୀୟ ନୁହେଁ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ମତରେ, ଏହି ଘଟଣାରେ ରାଜନୈତିକ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଜଡ଼ିତ ଥିଲେ ମଧ୍ୟ ସେମାନଙ୍କୁ ଛାଡ଼ ଦିଆଯିବ ନାହିଁ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଅପରାଧ ପ୍ରବଣତା ବୃଦ୍ଧି ପାଇଛି ଏବଂ ଏହାକୁ ମୂଳରୁ ନଷ୍ଟ କରିବାକୁ ସରକାର ଦୃଢ଼ପ୍ରତିଜ୍ଞ। ବାଲି ମାଫିଆ ଏବଂ ଚୋରାଚାଳାଣି ବିରୋଧରେ ଶୀଘ୍ର ଏସ୍‌ଓପି ଜାରି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ରାଜ୍ୟକୁ ବିହାର କିମ୍ବା ପଶ୍ଚିମବଙ୍ଗ ପରି ଅପରାଧପ୍ରବଣ ଅଞ୍ଚଳ ଭାବରେ ପରିଣତ ହେବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।