ନୂତନ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର ଲୋକସେବା ଭବନ ଏବଂ ବିଧାନସଭା ଭବନକୁ ନୂତନ ଢାଞ୍ଚାରେ ପୁନର୍ନିର୍ମାଣ କରାଯିବ । ପୁରାତନ କଳାକୃତି ବଦଳାଇ ଆଧୁନିକ ଏବଂ ବାତ୍ୟା-ପ୍ରତିରୋଧୀ ଡିଜାଇନ୍ ରେ ଏହି ନିର୍ମାଣ କାର୍ଯ୍ୟ ହେବ ବୋଲି ପୂର୍ତ୍ତ (ସାଧାରଣ ପ୍ରଶାସନ) ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଜଣାଇଛନ୍ତି । ରାଜ୍ୟରେ ବାରମ୍ବାର ବାତ୍ୟା ପ୍ରଭାବିତ ହେଉଥିବାରୁ ସୁରକ୍ଷିତ ଏବଂ ଟିକାଉ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ।
ଏହାସହିତ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଏକ ନୂତନ ଓଡ଼ିଶା ମଣ୍ଡପ ନିର୍ମାଣ ପାଇଁ ଯୋଜନା ଚାଲିଛି । ଏହା ଏକ ମଲ୍ଟି-କନଭେନସନ ସେଣ୍ଟର ଭାବରେ କାର୍ଯ୍ୟ କରିବ, ଯେଉଁଠାରେ ୧୦,୦୦୦ ଲୋକଙ୍କ ପାଇଁ ବସିବାର ସୁବିଧା ରହିବ । ଏହି ପ୍ରକଳ୍ପଗୁଡ଼ିକ ସମୟ ସୀମା ମଧ୍ୟରେ ସମାପ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ନୂଆ ପ୍ରଯୁକ୍ତି ଏବଂ କମ୍ ଖର୍ଚ୍ଚରେ ଗୁଣବତ୍ତାପୂର୍ଣ୍ଣ ନିର୍ମାଣ ପାଇଁ ସରକାର ଆନ୍ତର୍ଜାତୀୟ ବିଲ୍ଡିଂ କୋଡ୍ (IBC) ସହିତ ଆଲୋଚନା କରିଛନ୍ତି । ଏଥିପାଇଁ ନୂଆ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ରାଜ୍ୟର ଭବିଷ୍ୟତ ନିର୍ମାଣ ପ୍ରକ୍ରିୟାକୁ ଅଧିକ ଦୃଢ଼ ଏବଂ ଦୁର୍ବଳତା-ମୁକ୍ତ କରିବା ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ ।