ପୁରୀ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ୨ କିମି ପରିଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା
ଭୁବନେଶ୍ୱର (ସଂକେତ ଟିଭି): ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧି ମଧ୍ୟରେ ମଦ ଏବଂ ଆମିଷ (ମାଂସ) ବିକ୍ରି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷେଧାଦେଶ ସବୁଦିନ ପାଇଁ ପ୍ରଯୋଜ୍ୟ ହେବ ବୋଲି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଜଣାଇଛନ୍ତି।
ଏହି ନିୟମ ଅନୁଯାୟୀ, ଉକ୍ତ କ୍ଷେତ୍ର ଭିତରେ କୌଣସି ମଦ ବାର୍ କିମ୍ବା ମଦ ଦୋକାନ ଚଳାଇବାକୁ ଅନୁମତି ମିଳିବ ନାହିଁ। ଏଥିସହ ଆମିଷ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀକୁ ଏକ ପିଲିଗ୍ରିମ୍ ସିଟି (ତୀର୍ଥସ୍ଥଳୀ) ଭାବେ ଗଠନ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ସମାନତଃ, ବଡ଼ଦାଣ୍ଡର ଘରମାନଙ୍କର ବାହ୍ୟ ରୂପ ଏକପ୍ରକାର ହାଇଟ୍ ରଖାଯିବ ଏବଂ ବଡ଼ଦାଣ୍ଡ ଆଡ଼କୁ ମୁହଁ କରିଥିବା ଘରଗୁଡ଼ିକର ଡିଜାଇନ୍ ବଦଳାଯିବ। ଏହି କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମନ୍ତ୍ରୀ ଜଣାଇଛନ୍ତି।
ଏହି ନୂତନ ନିୟମ ପୁରୀର ଧାର୍ମିକ ପରିବେଶ ସୁରକ୍ଷିତ ରଖିବା ସହ ପର୍ଯ୍ୟଟକଙ୍କ ପାଇଁ ଏକ ନିରାପଦ ଓ ଶୁଦ୍ଧ ଅନୁଭୂତି ସୃଷ୍ଟି କରିବ ବୋଲି ସରକାର ଆଶା କରିଛନ୍ତି।