ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୪-୧୬ରେ ଲଘୁଚାପ ସମ୍ଭାବନା
ଭୁବନେଶ୍ବର (ସଂକେତ ଟିଭି): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ୧୨ ତାରିଖ ପରଠାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଦେଖାଦେବ ଏବଂ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବ୍ୟାପ୍ତି ବୃଦ୍ଧି ପାଇବ।
ପାଣିପାଗ ବିଭାଗ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ପାଇଁ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମେ ଶକ୍ତିଶାଳୀ ହେବ। ଫଳସ୍ୱରୂପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ଭିତରକୁ ସକ୍ରିୟ ଭାବରେ ପ୍ରବେଶ କରିବ।
୧୪ ତାରିଖ ବେଳକୁ ଏହି ପ୍ରଣାଳୀ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହିତ ମୌସୁମୀକୁ ଆହୁରି ସକ୍ରିୟ କରିବ। ତେବେ, ଲଘୁଚାପ କ୍ଷେତ୍ରର ଗତିପଥ ଏବଂ କେଉଁ ଜିଲାରେ ଏହାର ପ୍ରଭାବ ଅଧିକ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଗତ କିଛି ଦିନ ଧରି ରାଜ୍ୟରେ ଅସହ୍ୟ ଗରମ ସହିତ ଖରା ଜନଜୀବନକୁ ବିବ୍ରତ କରିଛି। ଦିନସାରା ଉଚ୍ଚ ତାପମାତ୍ରା ଏବଂ ଗୁଳୁଗୁଳି ପରିସ୍ଥିତି ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ହେଲେ, ଅପରାହ୍ନରେ କେତେକ ଜିଲାର କିଛି ସ୍ଥାନରେ ହୋଇଥିବା ବର୍ଷା ସାମୟିକ ଆରାମ ଦେଇଛି।
ପାଣିପାଗ ବିଭାଗ ମଙ୍ଗଳବାର ୧୪ଟି ଜିଲାକୁ ଘଡ଼ଘଡ଼ି, ବିଜୁଳି ଏବଂ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରିଛି। ଏହି ପରିସ୍ଥିତିରେ ଲୋକଙ୍କୁ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।