FeaturedLatestNewsPolitics

ରାଜ୍ୟ ବିଜେପି ସରକାରଙ୍କ ପ୍ରଥମ ବର୍ଷର ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବର୍ଷର ସଫଳତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଏକ ବର୍ଷରେ ଲୋକଙ୍କ ଆଶା ପୂରଣ କରିବାରେ ସରକାର ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରି ଓଡ଼ିଶା ଦ୍ରୁତ ଗତିରେ ଅଗ୍ରଗାମୀ ହେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁନ ୯ ତାରିଖ ଭାରତୀୟ ରାଜନୀତିରେ ଏକ ଐତିହାସିକ ଦିନ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ମୋଦି ସରକାରଙ୍କ ୧୧ ବର୍ଷର ଶାସନ ଭାରତରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି, ଯେପରିକି ଧାରା ୩୭୦ ଉଚ୍ଛେଦ, ତିନି ତଲାକ ବିଲ ରଦ୍ଦ, ଏକକ ଜିଏସ୍‌ଟି ପ୍ରଣୟନ, ଏବଂ କୋଭିଡ୍ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ।

ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ଉପଲବ୍ଧି ବିଷୟରେ ମାଝୀ କହିଛନ୍ତି ଯେ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି, ସୁଭଦ୍ରା ଯୋଜନା ଲାଗୁ ହୋଇଛି, ଏବଂ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି। ଧାନ କିସାନଙ୍କୁ ପ୍ରତି କ୍ଵିଣ୍ଟାଲ୍ ପିଛା ୮୦୦ ଟଙ୍କା ବୋନସ ଦିଆଯାଇଛି। ଏହାଛଡା, ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି ଏବଂ କୃଷି କ୍ଷେତ୍ରରେ ୩୭,୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ସରକାର ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି, ଯାହା ପାଇଁ ୧୨,୦୦୦ କୋଟି ଟଙ୍କା ବରାଦ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇ ୬୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯୁବକମାନଙ୍କ ପାଇଁ ୨୮,୦୦୦ ଚାକିରୀ ପ୍ରଦାନ କରାଯାଇଛି ଏବଂ ଆଗାମୀ ବର୍ଷରେ ଆହୁରି ୪୦,୦୦୦ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ଏକ ଶିଳ୍ପଭିତ୍ତିକ ରାଜ୍ୟ ଭାବେ ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ୧.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଆସିବ। ଏହା ୧.୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଆଗାମୀ ୨୦୨୬ ସୁଦ୍ଧା ୯୦% ଲୋକଙ୍କୁ ପାଇପ ଜଳ ଯୋଗାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଶେଷରେ, ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ଏହି ଏକ ବର୍ଷରେ ସରକାର ଲୋକଙ୍କ ବିଶ୍ୱାସ ଅର୍ଜନ କରିଛି ଏବଂ ଆଗାମୀ ଦିନଗୁଡିକରେ ଓଡ଼ିଶାକୁ ଏକ ଉନ୍ନତ ରାଜ୍ୟ ଭାବେ ଗଠନ କରିବାକୁ ସଂକଳ୍ପିତ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ଏବଂ ରାଜ୍ୟର ବିକାଶ ପାଇଁ ନୂଆ ଯୋଜନା ଘୋଷଣା କରିବେ।