ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା ହଟାଇଲେ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା ହଟାଇଦିଆଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଫଳରେ ପୂର୍ବରୁ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଥିବା ସଂପୂର୍ଣ୍ଣ ପ୍ରତିବନ୍ଧକ ହଟିଯାଇଛି । ମନ୍ତ୍ରୀ କହିଛନ୍ତି ଯେ, ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ହଇରାଣ ହେଉଥିଲେ । ଏବେ ୫,୨୦୦ ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ୍ ବିନା କୌଣସି ରୋକରେ ବିକ୍ରି କରିହେବ ।
ପ୍ଲଟ୍ ବିକ୍ରି ପାଇଁ କେତେକ ନିୟମ ମଧ୍ୟ ଜାରି କରାଯାଇଛି । ପ୍ଲଟିଂ କରି ବିକ୍ରୟ କରିବା ସମୟରେ ଲେଆଉଟ୍ ପ୍ରସ୍ତୁତ କରିବାକୁ ପଡିବ, ସେଥିପାଇଁ ୯ ମିଟର ରାସ୍ତା ଛାଡ଼ିବାକୁ ହେବ । ଏଥିସହ ଡ୍ରେନ୍, ପାର୍କିଂ ଏବଂ ଓପନ୍ ସ୍ପେସ୍ ପାଇଁ ଉପଯୁକ୍ତ ବ୍ୟବସ୍ଥା ରଖିବାକୁ ହେବ । ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ କରିବା ପରେ ପ୍ଲଟ୍ ବିକ୍ରି କରିହେବ ।
ଗତ କିଛି ସମୟ ଧରି ପାର୍ଟ ପ୍ଲଟ୍ ବିକ୍ରି ବନ୍ଦ ଥିବାରୁ ସରକାର ଓ ସାଧାରଣ ଲୋକେ ବିପୁଳ କ୍ଷତି ସହିଛନ୍ତି । ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଯଦି ପୂର୍ବ ସରକାର ଏହି ସମସ୍ୟାକୁ ସମୟରେ ସମାଧାନ କରିଥାନ୍ତେ, ତେବେ ଲୋକେ ଏତେ ହଇରାଣ ହୋଇନଥାନ୍ତେ ଏବଂ ସରକାରଙ୍କୁ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିନଥାନ୍ତା ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା, କୃଷି ଜମି ଉପରେ ଥିବା ସମସ୍ତ ପ୍ରତିବନ୍ଧକ ହଟାଇଦିଆଯାଇଛି, କିନ୍ତୁ ଘରବାଡ଼ି ଜମି ପାଇଁ କଟକଣା ବଜାୟ ରଖାଯାଇଛି ।
ସେହିପରି, ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ ଜଣାଯାଇଛି । ଫାଇଲ୍ ପ୍ରୋସେସିଂ ଆରମ୍ଭ ହୋଇସାରିଛି ଏବଂ ଏହା ଚୂଡାନ୍ତ ପର୍ଯ୍ୟାୟରେ ଅଛି ।