FeaturedLatestNews

୧୩ ତାରିଖ ଯାଏଁ ଉତ୍ତର ଓଡିଶାରେ ଘଡଘଡି ସହିତ ଲାଗି ରହିବ ବର୍ଷା

ଭୁବନେଶ୍ୱର (ସଂକେତ ଟିଭି): ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ଦେଇଛି ବର୍ଷା । ମୌସୁମୀ ବାୟୁ ଉତ୍ତର ସୀମା ଦେଇ ମୁମ୍ବାଇ, ଅହିଲ୍ୟାନଗର, ଆଦିଲାବାଦ, ଭବାନୀପାଟନା, ପୁରୀ, ସ୍ୟାଣ୍ଡହେଡ୍ ଦ୍ୱୀପ, ବାଲୁରଘାଟ ଦେଇ ଗତି କରୁଛି, ଯାହା ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ଅନୁସାରେ, ଆଗାମୀ ତିନି ଦିନ ଯାଏଁ ବର୍ଷା ଜାରି ରହିବ ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶାର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର ଓଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ବର୍ଷା, ପବନ ଏବଂ ବିଜୁଳି ଘଡଘଡିର ସମ୍ଭାବନା ରହିଛି । ଏହି ପ୍ରଭାବ ଆଗାମୀ ୧୩ ତାରିଖ ଯାଏଁ ରହିବ ବୋଲି ଚେତାବନୀ ଦିଆଯାଇଛି ।

ରାଜ୍ୟରେ ମୌସୁମୀ ବର୍ଷା ଆଗକୁ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୪ ତାରିଖରୁ ରାଜ୍ୟର ସମସ୍ତ ଅଞ୍ଚଳକୁ ବର୍ଷା ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଆଗାମ୪ ୭ ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ, ଯାହା ସହିତ ବିଜୁଳି ଘଡଘଡି ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବ ।

ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ରହିବ ବୋଲି ଆଲର୍ଟ ଜାରି କରାଯାଇଛି ।

କିଛି ସ୍ଥାନ ଶୁଖିଲା ରହିଥିବା ବେଳେ ପାଣିପାଗ ବିଭାଗ କହିଛି ଯେ, ଆଗାମୀ କିଛି ଦିନରେ ଗୁଳୁଗୁଳି କମିବ ଏବଂ ତିନି ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ କମିବ ।