ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ, ସାମ୍ପ୍ରଦାୟିକ ହିଂସା ଆଶଙ୍କାରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ବନ୍ଦ ରହିବ। ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ ତିହିଡ଼ି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା, ଯେଉଁଥିରେ ଜଣେ ଯୁବକ ସନ୍ତୋଷ ପରିଡ଼ା ଗୁରୁତର ଆହତ ହୋଇଥିଲେ। ତାଙ୍କର ଗତକାଲି ମୃତ୍ୟୁ ଘଟିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଘଟଣାସ୍ଥଳୀରେ ୨୭ ପ୍ଲାଟୁନ ପୁଲିସ ଫୋର୍ସ ମୋଟାୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ତିହିଡ଼ି ବ୍ଲକର କଷଟି ଗ୍ରାମରେ ଗୋ ମାଫିଆଙ୍କ ଆକ୍ରମଣରେ ସନ୍ତୋଷ ପରିଡ଼ା ଗୁରୁତର ଆହତ ହୋଇଥିଲେ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୧୩ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୨ ଜଣ ସନ୍ଦେହୀଙ୍କୁ ପୁଲିସ ଗିରଫ କରିଛି, ମାତ୍ର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦାବି କରିଛନ୍ତି ଯେ ୬୦ରୁ ଅଧିକ ଆକ୍ରମଣକାରୀଙ୍କୁ ଗିରଫ କରାଯିବା ଉଚିତ୍। ସେମାନେ ଏହି ଅଞ୍ଚଳରେ ହିନ୍ଦୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମଧ୍ୟ ଦାବି କରିଛନ୍ତି।
ବିବାଦର ମୂଳ କାରଣ ଭାବରେ ଗୋ ଚାଲାଣ ବିରୋଧୀ ପ୍ରତିବାଦକୁ ଚିହ୍ନିତ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ସତର୍କ କରି କହିଛି ଯେ, ଯଦି ସମସ୍ତ ଦୋଷୀଙ୍କୁ ଦଣ୍ଡ ନଦେଲେ, ସନାତନୀ ହିନ୍ଦୁ ସମାଜ ବିରୁଦ୍ଧରେ ବିରୋଧ ଆନ୍ଦୋଳନ ତୀବ୍ର ହେବ। ପୁଲିସ ଏବଂ ପ୍ରଶାସନ ଘଟଣାକୁ ନିୟନ୍ତ୍ରଣରେ ରଖିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି।