ଭୁବନେଶ୍ବରରୁ ଆବୁଧାବି ଏବଂ ବିଶାଖାପାଟଣାକୁ ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରୁ ଆବୁଧାବି ( ଆରବ ଏମିରେଟ୍ସ) ଏବଂ ବିଶାଖାପାଟଣାକୁ ସିଧାସଳଖ ବିମାନ ସେବା ଆଜି ଶୁଭାରମ୍ଭ ହୋଇଛି । ଇଣ୍ଡିଗୋ ଏୟାରଲାଇନ୍ସ୍ ଏହି ସେବା ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସକାଳ ୯:୩୫ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଫ୍ଲାଗ୍-ଅଫ୍ କରିଥିଲେ ।
ଇଣ୍ଡିଗୋର ଫ୍ଲାଇଟ୍ 6E 1441 ଭୁବନେଶ୍ୱରରୁ ଆବୁଧାବିକୁ ଅପରାହ୍ନ ୧୨:୩୫ ରେ ପହଞ୍ଚିବ । ଫେରିବାର ବେଳେ ଏହି ବିମାନ ଆବୁଧାବିରୁ ରାତି ୨:୩୫ ରେ ଛାଡ଼ି ସକାଳ ୮:୩୫ ରେ ଭୁବନେଶ୍ୱର ପହଞ୍ଚିବ । ଏହି ସେବା ଦ୍ୱାରା ଓଡ଼ିଶା ସିଧାସଳଖ ମିଡଲ୍ ଇଷ୍ଟ୍ ସହ ଯୋଡି ହୋଇଛି । ପ୍ରଥମ ଯାତ୍ରାରେ ୧୮୦ ଯାତ୍ରୀ ଆବୁଧାବିକୁ ଯାଇଛନ୍ତି । ସହିତରେ କେନ୍ଦୁଝର, ଢେଙ୍କାନାଳ, ନୂଆପଡା ଏବଂ ରାୟଗଡ଼ାରୁ ୫୦ ଟନ୍ ପାଲି ଆମ୍ବ ମଧ୍ୟ କାର୍ଗୋ ବିମାନରେ ରପ୍ତାନୀ ହୋଇଛି ।
ଏଥିସହ ଭୁବନେଶ୍ୱରରୁ ବିଶାଖାପାଟଣାକୁ ଇଣ୍ଡିଗୋର ଫ୍ଲାଇଟ୍ 6E 6214 ଅପରାହ୍ନ ୧୨:୩୫ ରେ ଛାଡ଼ି ଅପରାହ୍ନ ୧:୫୫ ରେ ପହଞ୍ଚିବ । ଫେରିବାର ବେଳେ ଏହା ଅପରାହ୍ନ ୨:୨୫ ରେ ବିଶାଖାପାଟଣା ଛାଡ଼ି ୩:୪୫ ରେ ଭୁବନେଶ୍ୱର ଫେରିବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡ଼ିଶାକୁ ବିମାନ ସେବାର ହବ୍ ଭାବେ ଗଠନ କରାଯାଉଛି । ଏହି ସେବା ଓଡ଼ିଶାର ବାଣିଜ୍ୟ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସମ୍ପର୍କକୁ ବିସ୍ତାରିବ ।” ଭୁବନେଶ୍ୱରରୁ ଡେରାଡୁନ, କୋଚି, ଗାଜିଆବାଦ ଏବଂ ଲକ୍ଷ୍ନୌକୁ ପୂର୍ବରୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡ଼ାରୁ ମୁମ୍ବାଇ, ଲକ୍ଷ୍ନୌ ଏବଂ ରାୟପୁରକୁ ମଧ୍ୟ ବିମାନ ସେବା ଚାଲୁଛି ।