FeaturedLatestNews

ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିୟମ: ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ

ଭୁବନେଶ୍ୱର (ସଂକେତ ଟିଭି): ସରକାରୀ କର୍ମଚାରୀମାନେ ଆଉ ମନଇଚ୍ଛା ଅଫିସକୁ ଆସିପାରିବେ ନାହିଁ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ସରକାରୀ କର୍ମଚାରୀଙ୍କୁ ଠିକ୍ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍ ଉପସ୍ଥାନ ଦେବାକୁ ପଡ଼ିବ ଏବଂ ସାଢେ଼ ସାତଘଣ୍ଟା କାର୍ଯ୍ୟ କରିବାକୁ ହେବ। ଏହି ନିୟମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାଦେ ଅନ୍ୟ ସମସ୍ତ ସରକାରୀ ବିଭାଗରେ ଲାଗୁ ହେବ।

ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଭିନ୍ନ ବିଭାଗକୁ ପଠାଯାଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ, ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ଆଚରଣରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ବିଭାଗ ତୁରନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଏହାସହ, ଏହି ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ମଧ୍ୟ ନିୟମିତ ଭାବେ ପରୀକ୍ଷା କରାଯିବ।

ନୂତନ ନିୟମ ଅନୁଯାୟୀ, ସମସ୍ତ କର୍ମଚାରୀଙ୍କ ପାଇଁ ଅଫିସରେ ପ୍ରବେଶ ଓ ପ୍ରସ୍ଥାନ ସମୟ ବାୟୋମେଟ୍ରିକ୍ ସିଷ୍ଟମରେ ରେକର୍ଡ କରାଯିବା ବାଧ୍ୟତାମୂଳକ। ଯଦି କୌଣସି କର୍ମଚାରୀ ପ୍ରସ୍ଥାନ ସମୟ ରେକର୍ଡ ନକରନ୍ତି, ସେହି ଦିନଟି ତାଙ୍କ ଅନୁପସ୍ଥିତି ଭାବେ ଗଣନା କରାଯିବ। ପ୍ରତ୍ୟେକ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ଆବଶ୍ୟକ, ଏବଂ ରୋଷ୍ଟର ଡ୍ୟୁଟି ଥିବା କର୍ମଚାରୀଙ୍କ ପାଇଁ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ସ୍ପଷ୍ଟ ସମୟସୀମା ନିର୍ଦ୍ଧାରିତ ହେବ।

ଏହାସହ, ଯଦି କୌଣସି କର୍ମଚାରୀ ଏକ ମାସରେ ତିନିଦିନ ଧରି ୩୦ ମିନିଟ୍ ବିଳମ୍ବରେ ଅଫିସ ଆସନ୍ତି, ତାହାକୁ ସାମୟିକ ଭାବେ ଗ୍ରହଣ କରାଯାଇପାରିବ। ମାତ୍ର, ପ୍ରତି ତିନିଦିନ ପାଇଁ ୩୦ ମିନିଟ୍ ବିଳମ୍ବରେ ଗୋଟିଏ ଦିନର ଛୁଟି କଟାଯିବ। ତେବେ, ଅଧିକ କାର୍ଯ୍ୟଭାର ଥିବା କର୍ମଚାରୀ, ଯେଉଁମାନେ ସନ୍ଧ୍ୟା ବେଳା କିମ୍ବା ଛୁଟିଦିନରେ କାମ କରନ୍ତି, ସେମାନଙ୍କ ବିଳମ୍ବ ଆଗମନକୁ ଛାଡ଼ ଦିଆଯିବ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ସରକାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଉପସ୍ଥାନ ରେକର୍ଡ ପାଇଁ ଏଆଇ (AI) ଏବଂ ଆରଏଫଆଇଡି (RFID) ପରିଚୟ ପତ୍ର ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଏହି ପ୍ରଣାଳୀ ପ୍ରଥମେ ଲୋକସେବା ଭବନ ଏବଂ ଖାରବେଳ ଭବନରେ ଲାଗୁ ହେବ ଏବଂ ପରେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିସ୍ତାରିତ ହେବ।