ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶିଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖିଲେ ଅରବିନ୍ଦ
ଭୁବନେଶ୍ଵର (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)କୁ ଚିଠି ଲେଖିଛନ୍ତି। ଆସନ୍ତା ରଥଯାତ୍ରା (ଜୁନ୍ ୨୮ରୁ ଜୁଲାଇ ୬) ସମୟରେ ରତ୍ନଭଣ୍ଡାରର ବାକି କାମ ତ୍ୱରାନ୍ୱିତ ଭାବେ ସମାପ୍ତ କରିବାକୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ପରିଚାଳନା ତରଫରୁ ମହାପ୍ରଭୁଙ୍କ ଗର୍ଭଗୃହ ଓ ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନର ସଂରକ୍ଷଣ କାର୍ଯ୍ୟ ଏଏସଆইର ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦାଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରର ଦୀର୍ଘମିଆଦୀ ସଂରକ୍ଷଣ ଓ ସ୍ଥାପତ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏହି ସମୟରେ, ରଥଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ପ୍ରଶାସକ, ଦଇତାପତି, ସମସ୍ତ ବାଡ଼ଗ୍ରାହୀ ଏବଂ ନିଯୋଗ ସଦସ୍ୟମାନେ ଉପସ୍ଥିତ ରହିଛନ୍ତି। ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି।