FeaturedLatestSports

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ (ସଂକେତ ଟିଭି):ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରି ଚାମ୍ପିୟନ ହୋଇଛି। ୨୮୨ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମ୍ୟାଚର ଚତୁର୍ଥ ଦିନରେ ସଫଳତାର ସହିତ ଅତିକ୍ରମ କରିଥିଲା।

ଦଳ ପକ୍ଷରେ ଆଇଡେନ ମାର୍କରାମ ୧୩୬ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ବେଳେ, ଅଧିନାୟକ ତେମ୍ବା ବାଭୁମା ୬୬ ରନ ଏବଂ ଓ୍ବାଇନ ମୁଲଡର ୨୭ ରନ ଯୋଗଦାନ କରିଥିଲେ। ୧୯୯୮ ପରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ହୋଇଛି। ୧୯୯୮ରେ ଏହି ଦଳ ଆଇସିସି ନକଆଉଟ ଟ୍ରଫି ଜିତିଥିଲା।

ବିଶ୍ବ କ୍ରିକେଟରେ ଏକ ଶକ୍ତିଶାଳୀ ଦଳ ଭାବରେ ପରିଚିତ ହୋଇଥିବା ବେଳେ ମଧ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଦକ୍ଷିଣ ଆଫ୍ରିକା ସର୍ବଦା ବିଫଳ ହୋଇଆସିଥିଲା। ମାତ୍ର, ଏଥର ସେମାନେ ପୂର୍ବର ନୈରାଶ୍ୟକୁ ଦୂର କରି ଏକ ଐତିହାସିକ ସଫଳତା ଅର୍ଜନ କରିଛନ୍ତି।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ୨୧୨ ରନରେ ଅଲଆଉଟ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୧୩୮ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୦୭ ରନ କରି ଅଲଆଉଟ୍ ହୋଇଥିବା ବେଳେ, ଦକ୍ଷିଣ ଆଫ୍ରିକା ୨୮୨ ରନର ଲକ୍ଷ୍ୟ ପ୍ରଦାନ କରାଯାଇଥିଲା।

ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୭୩ ରନରେ ୭ ଓ୍ବିକେଟ ହରାଇ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିଲା। ମିଚେଲ ଷ୍ଟାର୍କ (୫୮*) ଏବଂ ଅଲେକ୍ସ କେରି (୪୩)ଙ୍କ ଯୋଗଦାନ ଫଳରେ ଅଷ୍ଟ୍ରେଲିଆ ଏକ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା। ତେବେ, ଦକ୍ଷିଣ ଆଫ୍ରିକାର ଦୃଢ଼ ବ୍ୟାଟିଂ ପ୍ରଦର୍ଶନ ଆଗରେ ଅଷ୍ଟ୍ରେଲିଆର ପ୍ରଚେଷ୍ଟା ବିଫଳ ହୋଇଥିଲା।