ପୁରୀର ରଥଯାତ୍ରା ଯଗିବେ ଏଆଇ କ୍ୟାମେରା ଓ ଡ୍ରୋନ୍
ଭୁବନେଶ୍ୱର (ସଂକେତ ଟିଭି): ପୁରୀର ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ପାଇଁ AI କ୍ୟାମେରା ବ୍ୟବହାର କରାଯିବ । ରଥଯାତ୍ରାର ସୁରକ୍ଷା ନେଇ ପୋଲିସ୍ ବିଭାଗ ଚୂଡ଼ାନ୍ତ ପ୍ରସ୍ତୁତି କରିଛି । ଏହି ନିଷ୍ପତ୍ତି ଭୁବନେଶ୍ୱର ଡିଜିପି କ୍ୟାମ୍ପ୍ ଅଫିସରେ ପୋଲିସ୍ ଡିଜି ଯୋଗେଶ୍ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ।
ଚାଲିତ ବର୍ଷ ରଥଯାତ୍ରା ସୁରକ୍ଷା ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ବ୍ୟବସ୍ଥା ରହିବ । ଡ୍ରୋନ୍ ଏବଂ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ସହିତ ଉତ୍ତରା ଛକରୁ ପୁରୀ, ପୁରୀ ସହର ଏବଂ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ସିସିଟିଭି ସର୍ଭେଲାନ୍ସ ରଖାଯିବ । ଏଥିସହିତ ରଥଯାତ୍ରା ସମ୍ବନ୍ଧୀୟ ସୂଚନା ପାଇଁ ଏକ ଆପ୍ ମଧ୍ୟ ଲଞ୍ଚ କରାଯିବ । ଏହି ଆପ୍ ମାଧ୍ୟମରେ ଭକ୍ତମାନେ ପାର୍କିଂ, ରାସ୍ତା ଓ ଭିଡ଼ ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ ।
ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଆପ୍ ତିଆରି କରାଯାଇଛି । ଏହା ଭିଡ଼ ନିୟନ୍ତ୍ରଣ ଏବଂ ଦଳାଚକଟା ଘଟଣା ରୋକିବାରେ ସାହାଯ୍ୟ କରିବ । ପୋଲିସ୍ ଡିଜି ଜଣାଇଛନ୍ତି ଯେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହିତ ହୋଇଥିବା ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି ।
ରଥଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ମୁକାବିଲା କରିବା ପାଇଁ ମକ୍ଡ୍ରିଲ୍ ଓ କଡ଼ା ସୁରକ୍ଷା ବଳୟ ବ୍ୟବସ୍ଥା କରାଯିବ । ଅର୍ବାନ୍ ଟେରରିଜିମ୍ ମୁକାବିଲା ପାଇଁ ତାଲିମପ୍ରାପ୍ତ STU ଟିମ୍ ମଧ୍ୟ ମୋଟୟନ କରାଯିବ । ସ୍ୱତନ୍ତ୍ର ବୁଲେଟ୍ପ୍ରୁଫ୍ ରକ୍ଷକ ବାହନ ମଧ୍ୟ ଏହି ବ୍ୟବସ୍ଥାରେ ଯୋଡ଼ା ଯାଇଛି । ତଟ ସୁରକ୍ଷାକୁ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ।
ଡିଜିପି କ୍ୟାମ୍ପ୍ ଅଫିସରେ ଅନୁଷ୍ଠିତ ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ, ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ପରିବହନ କମିଶନର ADG ଅମିତାଭ ଠାକୁର, ADG ଦୟାଲ ଗଙ୍ଗୱାର, SIW DIG କନଓ୍ବର ବିଶାଳ ସିଂହ, DIG STF ପିନାକ ମିଶ୍ର ଏବଂ ପୁରୀ ଏସ୍ପି ବୀନିତ୍ ଅଗ୍ରୱାଲଙ୍କ ସହିତ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ ।