ବିମାନ ଦୁର୍ଘଟଣା ସ୍ଥଳରୁ ମିଳିଲା ଦ୍ଵିତୀୟ ବ୍ଲାକବକ୍ସ, ତଦନ୍ତ ଜାରି
ନୂଆଦିଲ୍ଲୀ (ସଂକେତ ଟିଭି): ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଘଟଣାସ୍ଥଳରୁ ଦ୍ଵିତୀୟ ବ୍ଲାକବକ୍ସ ମିଳିଛି। ତଦନ୍ତକାରୀ ଟିମ୍ ଏହାକୁ ଉଦ୍ଧାର କରିଛନ୍ତି। ଏହି ବ୍ଲାକବକ୍ସଟି କକପିଟ୍ ଭଏସ ରେକର୍ଡର ହୋଇଥିବା ବେଳେ ଏହା ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାରେ ସାହାଯ୍ୟ କରିବ ବୋଲି ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ତଦନ୍ତକାରୀ ଅଧିକାରୀମାନେ ବ୍ଲାକବକ୍ସ ଜବତ କରିଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି। ରବିବାର ଦିନ ପିକେ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଥିବା ସହ ଆହତମାନଙ୍କୁ ହସ୍ପିଟାଲରେ ଭେଟିଥିଲେ।
ଏହାପୂର୍ବରୁ ତଦନ୍ତ ଟିମ୍ ବିମାନର ଡାଟା ରେକର୍ଡର୍ (ଏଫଡିଆର) ଜବତ କରିଥିଲେ। ବର୍ତ୍ତମାନ କକପିଟ୍ ଭଏସ ରେକର୍ଡର୍ (ସିଭିଆର) ମଧ୍ୟ ମିଳିଥିବାରୁ ଉଭୟ ବ୍ଲାକବକ୍ସ ସୁରକ୍ଷିତ ଭାବରେ ରଖାଯାଇଛି। ଏହାଦ୍ୱାରା ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ସହଜ ହେବ ବୋଲି ଆଶା କରାଯାଉଛି।
ଆନ୍ତର୍ଜାତୀୟ ନିୟମ ଅନୁଯାୟୀ, ଭାରତୀୟ ତଦନ୍ତ ଟିମ୍ ଏବଂ ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ୍ (ଏନଟିଏସବି) ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସହିତ ମୋଟ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିଲା। ବ୍ଲାକବକ୍ସ ମିଳିବା ପରେ ଏବେ ଦୁର୍ଘଟଣାର କାରଣ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇପାରିବ।