୯୬୪ ଜଣକୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳାରେ ଏକକାଳୀନ ଭାବେ ୫ ବିଭାଗର ୯୬୪ ଜଣ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।
ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଜି ଆମେ ୫ଟି ବିଭାଗରେ ୯୬୪ ଜଣକୁ ନିଯୁକ୍ତି ଦେଇଛୁ। ସମସ୍ତ ନବନିଯୁକ୍ତଙ୍କୁ ମୋର ଅଭିନନ୍ଦନ। ଆପଣମାନେ ନିଜକୁ ଜନସେବକ ଭାବି ଲୋକଙ୍କ ଆଶା-ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ। ସରକାରୀ ନିଷ୍ପତ୍ତିଗୁଡ଼ିକ ଯେପରି ଜନମଙ୍ଗଳ ଉପରେ ଆଧାରିତ ହେବ, ସେଥିପାଇଁ ଆପଣମାନେ ସଚେତନ ରହିବେ।”
ମୁଖ୍ୟମନ୍ତ୍ରୀ ଜୋର୍ ଦେଇ କହିଛନ୍ତି ଯେ ଯୁବଶକ୍ତି ହେଉଛନ୍ତି ରାଜ୍ୟ ବିକାଶର ମୁଖ୍ୟ ଚାଳକ। ସେମାନଙ୍କ ଶକ୍ତି, ସାମର୍ଥ୍ୟ ଏବଂ ଉତ୍ସାହକୁ ସାମାଜିକ କଲ୍ୟାଣ ଏବଂ ରାଜ୍ୟ ବିକାଶରେ ନିୟୋଜିତ କରାଯିବା ଆବଶ୍ୟକ। ସରକାର ଗଠନ ପରଠାରୁ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି।
ପାଞ୍ଚ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରିବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଧାନସଭାରେ ଏକ ବିଲ୍ ପାରିତ କରାଯାଇଛି। ଏହା ସହିତ ଚାକିରି ପାଇଁ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ବିଭାଗଗୁଡ଼ିକରେ ଅନେକ ଖାଲି ପଦବୀ ରହିଥିବାରୁ, ୧ ଜାନୁଆରୀ ୨୦୨୫ରେ ସମ୍ବାଦିତ ଏକ ସମୀକ୍ଷା ବୈଠକରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଥମ ବର୍ଷରେ ୨୮,୦୦୦ ପଦବୀ ପୂରଣ କରାଯାଇଥିବା ବେଳେ ଦ୍ୱିତୀୟ ବର୍ଷରେ ୪୦,୦୦୦ ପଦବୀ ପୂରଣ କରାଯିବ।
ଏହି ଉଦ୍ୟମ ରାଜ୍ୟର ଯୁବସମାଜଙ୍କ ମଧ୍ୟରେ ଆଶା ଜାଗ୍ରତ କରିଛି ଏବଂ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ଅଧିକ ରୋଜଗାର ସୃଷ୍ଟି ହେବ ବୋଲି ଆଶା କରାଯାଉଛି।