EducationFeaturedLatestNews

ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ: ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଗ୍ରୀଷ୍ମ ଛୁଟି ପରେ ୫୮ ଦିନ ପରେ ସ୍କୁଲ ପୁନରାରମ୍ଭ ହେବ। ସ୍କୁଲ ସମୟ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ଏହି ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଗ୍ରୀଷ୍ମ ତାପପ୍ରବାହ ଯୋଗୁଁ ଏପ୍ରିଲ ୨୨ ତାରିଖରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ସ୍କୁଲ ଖୋଲିବା ପରେ ପିଲାମାନଙ୍କ ପାଠପଢ଼ା ଓ ୨୦୨୫-୨୬ ଶିକ୍ଷାବର୍ଷ ସୁଚାରୁ ଭାବେ ପରିଚାଳନା ନିମନ୍ତେ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପରିସର ପରିଷ୍କାର କରିବା, ପାଣି ଟାଙ୍କି ସଫା କରିବା, ବେଞ୍ଚ ଓ ଚେୟାର ଠିକ୍ କରିବା ସହିତ ପରିସ୍ରାଘର, ଇ-ଲାଇବ୍ରେରୀ ଓ ରୋଷେଇଘରକୁ ମଧ୍ୟ ସଫା କରିବାକୁ କୁହାଯାଇଛି।

ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଉପରେ ମଧ୍ୟ ବିଭାଗ ଗୁରୁତ୍ୱ ଦେଇଛି। ଅନେକ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅସାବଧାନତା ଓ ନିୟମ ଅଣୁସରଣ ନକରିବାର ଅଭିଯୋଗ ରହିଛି। ଏଥିପାଇଁ ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ, ପରିଚ୍ଛନ୍ନତା ଓ ଖାଦ୍ୟ ମାନ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପରିଚାଳନା କମିଟି, ସିସିଏଚ୍ ଓ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଖାଦ୍ୟ ପରୀକ୍ଷା କରାଯିବ।

ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିମାନେ ସ୍କୁଲ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିବେ। ଏଥିପାଇଁ ଏକ ମାନ ପରୀକ୍ଷଣ ରେଜିଷ୍ଟର ରଖାଯିବ, ଯେଉଁଥିରେ ଅଭିଭାବକ, ଶିକ୍ଷକ ଓ କମିଟି ସଦସ୍ୟମାନେ ଖାଦ୍ୟ ପରୀକ୍ଷା କରି ମନ୍ତବ୍ୟ ଦେବେ। ପିଏମ୍ ପୋଷଣ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ପଠାଯାଇଛି।