FeaturedHealthLatestNews

ସାରା ରାଜ୍ୟକୁ ବ୍ୟାପୁଛି ଡାଇରିଆ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦେଶ

ଭୁବନେଶ୍ବର (ସଂକେତ ଟିଭି): ଡାଇରିଆ ରୋଗର ପ୍ରସାର ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହାକୁ ନେଇ ରାଜ୍ୟ ସରକାର ଚିନ୍ତିତ। ଗତକିଛି ସପ୍ତାହ ଧରି ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏହି ରୋଗ ବ୍ୟାପିବାରେ ଲାଗିଛି। ଏଥିପାଇଁ ସ୍ୱାସ୍ଥ୍ୟ ସଚିବ ଅଶ୍ୱିନୀ ଏସ୍ ସତର୍କତା ଜାରି କରି ସମସ୍ତ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାତ୍ର ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩୦୦ରୁ ଅଧିକ ନୂଆ କେସ୍ ଚିହ୍ନଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଡାଇରିଆ ପ୍ରତିରୋଧ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଡାଇରିଆ ରୋଗୀଙ୍କୁ ୨୪ ଘଣ୍ଟା ନିରୀକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଶା ଓ ଅଙ୍ଗନବାଡ଼ୀ କାର୍ଯ୍ୟକର୍ତ୍ତାଙ୍କୁ ସଚେତନ କରାଯାଇଛି ଏବଂ ଗାଁ ଗାଁରେ ମାଇକ୍ ଜରିଆରେ ପ୍ରଚାର ଚାଲିଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ।

ଅନ୍ୟ ପଟେ, ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବା ସହିତ କେନ୍ଦ୍ରୀୟ ଟିମ୍ ମଧ୍ୟ ରାଜ୍ୟରେ ତଦନ୍ତ କରୁଛନ୍ତି। ଆସନ୍ତାକାଲି ରାଜ୍ୟ ସରକାର କେନ୍ଦ୍ରୀୟ ଟିମ୍ ସହିତ ଆଲୋଚନା କରିବେ। ସ୍ୱାସ୍ଥ୍ୟ ସଚିବ ମୌସୁମୀ ବର୍ଷା କାରଣରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଡାଇରିଆ ପ୍ରସାର ରୋକିବାକୁ “ଷ୍ଟପ୍ ଡାଇରିଆ” ଅଭିଯାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗତକାଲି ଏହି ଅଭିଯାନର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ ଗତ ୧୦ ଦିନରେ ଡାଇରିଆ କେସ୍ ବୃଦ୍ଧି ପାଇଛି, ଯାହାକୁ ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଶତ୍ରୁଘ୍ନ ଜେନା, ବିଧାୟିକା ସୀମାରାଣୀ ନାୟକ, ଯୋଗାଣ ମନ୍ତ୍ରୀଙ୍କ ପ୍ରତିନିଧି ରାହାସ ବିହାରୀ ବେହେରା, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ।