ପଞ୍ଚାୟତରେ ଖୋଲିବ ତହସିଲ, ମାସକୁ ଦୁଇ ଦିନ ମିଳିବ ରାଜସ୍ୱ ଅଧିକାରୀଙ୍କ ସେବା
ଭୁବନେଶ୍ବର (ସଂକେତ ଟିଭି): ରାଜସ୍ୱ ସେବାକୁ ଲୋକଙ୍କ ଦ୍ଵାର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସରକାର ନୂତନ ପଦକ୍ଷେପ ନେଉଛନ୍ତି। ମାସକୁ ଦୁଇ ଦିନ ପଞ୍ଚାୟତ ସ୍ତରରେ ତହସିଲ ସେବା ଖୋଲାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଣାଇଛନ୍ତି। ତହସିଲଦାର ଏବଂ ଆଡିସନାଲ ତହସିଲଦାରଙ୍କୁ ପଞ୍ଚାୟତକୁ ଯାଇ ଜମି, ଜମା ସମ୍ପର୍କିତ ସମସ୍ୟାର ସମାଧାନ କରିବାକୁ ହେବ।
ଏହି ଉଦ୍ଦେଶ୍ୟରେ ‘ମୋ ପାଞ୍ଚୟତ, ମୋ ତହସିଲ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଲୋକେ ତହସିଲ ଅଫିସ ନ ଯାଇ ଘରେ ବସି ରାଜସ୍ୱ ସୁବିଧା ପାଇପାରିବେ। ମୋବାଇଲ ମାଧ୍ୟମରେ ୧୮ଟି ରାଜସ୍ୱ ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜସ୍ୱ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣାଯାଉଛି। ବ୍ରିଟିଶ ଅମଳରୁ ଚାଲିଆସୁଥିବା ଜଟିଳ ଜମି କିସମ ବ୍ୟବସ୍ଥାକୁ ସରଳୀକୃତ କରାଯିବ। ବର୍ତ୍ତମାନ ୭୦୦୦ରୁ ଅଧିକ ଜମି କିସମ ଥିବା ବେଳେ ଏହାକୁ କମାଇ ୨୭କୁ ଆଣିବାକୁ ଯୋଜନା ରହିଛି। ଏହି ସଂଶୋଧନ ପାଇଁ ଶୀଘ୍ର ବିଜ୍ଞପ୍ତି ଜାରି ହେବ।
ଜମି ସମ୍ପର୍କିତ ସତ୍ତ୍ୱ (ଅଧିକାର) ବ୍ୟବସ୍ଥାରେ ମଧ୍ୟ ବଦଳ ଆସିବ। ରାଜ୍ୟରେ ପ୍ରଚଳିତ ୩୦୦୦ରୁ ଅଧିକ ସତ୍ତ୍ୱକୁ ସଂକୋଚିତ କରି ଦୁଇ ଅଙ୍କରେ ସୀମିତ କରାଯିବ। ଅନାବଶ୍ୟକ ସତ୍ତ୍ୱଗୁଡିକୁ ରଦ୍ଦ କରାଯିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଜମି କିସମକୁ ନେଇ ଦ୍ୱନ୍ଦ୍ୱ କମିବ ବୋଲି ଆଶା କରାଯାଉଛି।
ସରକାର ଲୋକଙ୍କୁ ଡିଜିଟାଲ ସୁବିଧା ଯୋଗାଇବାକୁ ମୋବାଇଲ୍ ଆଧାରିତ ସେବା ଚାଲୁ କରିଛନ୍ତି। ଏଥିରେ ୧୮ଟି ରାଜସ୍ୱ ସେବା ଅନ୍ଲାଇନରେ ମିଳିବ। ଏହା ଲୋକଙ୍କ ପାଇଁ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।