FeaturedLatestNewsPolitics

ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପଞ୍ଚମ ପୁଣ୍ୟତିଥିରେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱରରେ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ପଞ୍ଚମ ପୁଣ୍ୟତିଥି ପାଳିତ ହୋଇଛି। ଏହି ଅବସରରେ ବାଲେଶ୍ୱର ସହରର ଓଟି ରୋଡ୍ ସ୍ଥିତ ଶୋଭାରାମପୁର ଛକରେ ତାଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ଏବଂ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ମଙ୍ଗୁ ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବଡସାହି ବିଧାୟକ ସନାତନ ବିଜୁଳି, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡା ପ୍ରମୁଖ ଯୋଗଦେଇଥିଲେ। ପୂର୍ବାଞ୍ଚଳ ଜୋନ ପୋଲିସ ଡିଆଇଜି ଡାକ୍ତର ସତ୍ୟଜିତ ନାୟକ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗୁଭାଇଙ୍କ ସ୍ମୃତିରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ଉଦ୍ଘାଟନ କରିଥିଲେ। ଶତାଧିକ ଯୁବକ-ଯୁବତୀ ରକ୍ତଦାନ କରି ୬୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପରେ ପୁରୁଣା ଷ୍ଟାଡିଅମରେ ଆୟୋଜିତ ସ୍ମୃତି ସଭାରେ ମନ୍ତ୍ରୀ ପ୍ରଧାନ ମଙ୍ଗୁଭାଇଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, “ମଙ୍ଗୁଭାଇ ତୃଣମୂଳ ସ୍ତରର ଲୋକଙ୍କ ସେବା ପାଇଁ ସମର୍ପିତ ଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତେ ମିଳିତ ଭାବେ କାମ କରିବା।”

ଏହି ଅବସରରେ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତମ ଫଳ କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ଛଡା, ଅର୍ଥାଭାବରେ ପଡ଼ୁଥିବା ଏକ ଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଏବଂ ଏକ ଦୁର୍ଘଟଣା ପୀଡ଼ିତ ଛାତ୍ରଙ୍କୁ ଚିକିତ୍ସା ସାହାଯ୍ୟ ପ୍ରଦାନ କରାଯାଇଥିଲା। ଅଧିକାଂଶ ବକ୍ତାଙ୍କ ମତରେ, ମଙ୍ଗୁଭାଇଙ୍କ ଆଦର୍ଶ ଓଡିଶାର ଯୁବପିଢି ପାଇଁ ପ୍ରେରଣାଦାୟକ।

କାର୍ଯ୍ୟକ୍ରମର ଶେଷରେ ମଙ୍ଗୁଭାଇ ସ୍ମୃତି କମିଟିର ଅଧ୍ୟକ୍ଷା ଅଞ୍ଜଳି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗୁଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।