LatestNews

ବାଲେଶ୍ବରରେ ହାଓଡ଼ା-ବାଙ୍ଗାଲୋର ଦୁରନ୍ତ ଏକ୍ସପ୍ରେସର ରହଣୀ ପାଇଁ ଦାବି କଲା ଓୟୁଜେ

ବାଲେଶ୍ବର (ସଂକେତ ଟିଭି): ହାଓଡ଼ା-ବାଙ୍ଗାଲୋର ସୁପର ଫାଷ୍ଟ ଦୁରନ୍ତ ଏକ୍ସପ୍ରେସ (ଟ୍ରେନ ନଂ 12245/12246) ଭାରତର ଦ୍ରୁତଗାମୀ ଟ୍ରେନଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହି ଟ୍ରେନ ସପ୍ତାହରେ ୫ ଦିନ (ମଙ୍ଗଳବାର, ବୁଧବାର, ଶୁକ୍ରବାର, ଶନିବାର ଓ ରବିବାର) ଚଳାଚଳ କରିଥାଏ। ହାଓଡ଼ାରୁ ଯାତ୍ରା ଆରମ୍ଭ କରି ଏହି ଟ୍ରେନ 1931 କିଲୋମିଟର ଦୂରତା ମାତ୍ର 29 ଘଣ୍ଟା 10 ମିନିଟ୍ ରେ ଅତିକ୍ରମ କରେ। ଏହା ପଶ୍ଚିମବଙ୍ଗର ହାଓଡ଼ାରୁ ବାହାରି ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ, ବିଜୟୱାଡା ଓ ରେଣିଗୁଣ୍ଠା ଅତିକ୍ରମ କରି କର୍ଣ୍ଣାଟକର ବାଙ୍ଗାଲୋର (ଏସଏମଭି ବି) ପର୍ଯ୍ୟନ୍ତ ପହଞ୍ଚେ।

ବାଲେଶ୍ବର ରେଳଷ୍ଟେସନରେ ଏହି ଟ୍ରେନ ପାଇଁ ଦୁଇ ମିନିଟ୍ ରହଣୀ ବ୍ୟବସ୍ଥା କରାଯାଇପାରେ କି ନାହିଁ ତାହା ନେଇ ସ୍ଥାନୀୟ ସ୍ତରରେ ଦାବି ଉଠିଛି। ଓଡ଼ିଶା ସାମ୍ବାଦିକ ୟୁନିୟନର ବାଲେଶ୍ବର ଜିଲ୍ଲା ଶାଖା ଏହି ଦାବି କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ନିକଟରେ ଉପସ୍ଥାପନ କରିଛି। ସ୍ଥାନୀୟ ସାଂସଦ ଏବଂ ବିଧାୟକମାନଙ୍କ ଦୃଷ୍ଟି ମଧ୍ୟ ଏହି ବିଷୟ ଆଡ଼କୁ ଆକର୍ଷିତ କରାଯାଇଛି।

ବାଲେଶ୍ବର ଜିଲ୍ଲାରେ ପ୍ରତିରକ୍ଷା ବିଭାଗର କାର୍ଯ୍ୟାଳୟ ରହିଛି। ଏହାଛଡ଼ା, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରୁ ବହୁ ଆଇଟି ପେସାଦାର ବାଙ୍ଗାଲୋରରେ କାର୍ଯ୍ୟରତ। ତେବେ, ବାଙ୍ଗାଲୋରର ଉନ୍ନତ ଚିକିତ୍ସା ସୁବିଧା ପାଇଁ ମଧ୍ୟ ଅନେକ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ବାଲେଶ୍ବର ଷ୍ଟେସନରେ ଟ୍ରେନଟି ଅଳ୍ପ ସମୟ ପାଇଁ ରୁକିଲେ ସେମାନଙ୍କୁ ବହୁତ ସୁବିଧା ହୋଇପାରେ।

ଏହି ଦାବି ସହିତ ଭାରତ ସରକାରଙ୍କ “ସବକା ସାଥ, ସବକା ବିଶ୍ୱାସ, ସବକା ପ୍ରୟାସ” ଆଦର୍ଶକୁ ବାସ୍ତବରେ ରୂପାୟିତ କରିବାରେ ସହାୟକ ହେବ ବୋଲି ସାମ୍ବାଦିକ ୟୁନିୟନ ପକ୍ଷରୁ କୁହାଯାଇଛି। ଦାବିପତ୍ର ଗ୍ରହଣ କରିଥିବା କେନ୍ଦ୍ରୀୟ ମନ୍ତ୍ରୀ ଏହି ବିଷୟରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶ୍ୱାସନ ଦେଇଛନ୍ତି। ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ ଏବଂ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଆଦି ଉପସ୍ଥିତ ଥିଲେ।