FeaturedLatestNewsPolitics

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତକୁ ବିରୋଧ କରି କଂଗ୍ରେସ କରିବ ଅନଶନ

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତାକାଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ରହିଛି। ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବା ସହିତ ଦିନସାରା ଅନଶନ କରିବାକୁ ଘୋଷଣା କରିଛି। ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅନଶନ ଚାଲିବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଜଣାଇଛନ୍ତି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲଟୁନ୍ ପୁଲିସ ବଳ ଏବଂ ବଡ଼ ବଡ଼ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି। ପୁରୀର ରଥଯାତ୍ରା ପାଇଁ ଯେତିକି ପୁଲିସ ଆବଶ୍ୟକ, ସେତିକି ପୁଲିସ ନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅତ୍ୟଧିକ ପୁଲିସ ବଳ ମୁକ୍ତ କରାଯାଉଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ, ରାଜ୍ୟରେ ନାରୀ ନିର୍ଯାତନା ଓ ହିଂସା ବୃଦ୍ଧି ପାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କି ବାର୍ତ୍ତା ଦେଉଛି? ଯଦି ପ୍ରଧାନମନ୍ତ୍ରୀ ରାଜ୍ୟର ଏହି ସମସ୍ୟାକୁ ଗୁରୁତ୍ୱ ସହିତ ନେଉଥାନ୍ତି, ତେବେ ସେ ନାରୀ ସୁରକ୍ଷା ଓ ହଇଜା ପରି ବିଷୟଗୁଡ଼ିକୁ ନେଇ ଭାଷଣ ଦେଉଥାନ୍ତେ ବୋଲି ଦାସ ଦାବି କରିଛନ୍ତି।

ଅନ୍ୟ ଏକ ପ୍ରଶ୍ନ ଭାବରେ କଂଗ୍ରେସ ଜାଣିବାକୁ ଚାହିଁଛି ଯେ, ପ୍ରଧାନମନ୍ତ୍ରୀ ଗୋପାଳପୁର, କେନ୍ଦୁଝର ଓ ଯାଜପୁରକୁ ଗସ୍ତ କରିବେ କି ନାହିଁ। ଏହି ଅଞ୍ଚଳଗୁଡ଼ିକର ବିକାଶ ଓ ସମସ୍ୟା ଉପରେ ମୋଦୀ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ନେଇ ମଧ୍ୟ କଂଗ୍ରେସ ସନ୍ଦେହ ପ୍ରକାଶ କରିଛି।