FeaturedLatestNews

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ୨୦ଜୁନରେ ଅଧା ଦିନ ସରକାରୀ ଛୁଟି

ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତ ସମୟରେ ବ୍ୟାପକ ଜନସମାଗମ ଏବଂ ଟ୍ରାଫିକ୍ ଭିଡ଼ର ଆଶଙ୍କା ଦେଖି ଓଡ଼ିଶା ସରକାର ଜୁନ୍ ୨୦ ତାରିଖରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।

ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି ଯେ, ରାଜସ୍ୱ ଏବଂ ମାଜିଷ୍ଟ୍ରେଟ୍ କୋର୍ଟ (କାର୍ଯ୍ୟନିର୍ବାହୀ) ସହିତ ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଦିନର ଦ୍ୱିତୀୟାର୍ଦ୍ଧରେ ବନ୍ଦ ରହିବ। ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।

ସହରର ପ୍ରମୁଖ ରାସ୍ତାରେ ସୁରକ୍ଷା ଏବଂ ଟ୍ରାଫିକ୍ ପ୍ରତିବନ୍ଧକ ଲାଗିବାର ସମ୍ଭାବନା ଥିବାରୁ କର୍ତ୍ତୃପକ୍ଷ ରାଜଧାନୀ ବାସିନ୍ଦାଙ୍କୁ ଯାତାୟତ ବ୍ୟବସ୍ଥା ସତର୍କତାର ସହିତ କରିବାକୁ ଅନୁରୋଧ କରିଛନ୍ତି। ଅଧିକାରୀମାନେ କର୍ମଚାରୀ ଏବଂ ସାଧାରଣ ଯାତ୍ରୀଙ୍କୁ ରୁଟ୍ ଡାଇଭର୍ସନ୍ ବିଷୟରେ ସଚେତନ ରହିବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ଏବଂ କଳିଙ୍ଗ ଷ୍ଟାଡିୟମ୍ ଠାରୁ ରୋଡ୍ ଶୋ’ରେ ଜନତା ମଇଦାନ ଯାଇଥିବେ। ପ୍ରାୟ ୨ ଲକ୍ଷ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ଵାଗତ କରିବେ ଏବଂ ୨୮ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଲାଭାନ୍ବିତଙ୍କୁ କାର୍ଡ ବଣ୍ଟନ କରିବେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଯୋଜନାରେ ଘର ବାଣ୍ଟିବା ସହ ପ୍ରାୟ ୧.୫ ଲକ୍ଷ ଲୋକଙ୍କୁ ଉଦ୍ବୋଧନ ଦେବେ ବୋଲି ଆଶା କରାଯାଉଛି।