FeaturedLatestNewsPolitics

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ, ବିଦାୟ ଦେଲେ ବିଜେଡି କର୍ମୀ ଓ ପ୍ରଶଂସକ

ଭୁବନେଶ୍ୱର (ସଂକେତ ଟିଭି): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସର୍ଭିକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ମୁମ୍ବାଇ ସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ତାଙ୍କ ବ୍ୟକ୍ତିଗତ ଚିକିତ୍ସକ ଡ. ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ହେବ। ନବୀନଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ସାରା ରାଜ୍ୟର ଲୋକେ କାମନା କରୁଛନ୍ତି।

ନବୀନଙ୍କୁ ବିଦାୟ ଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବିଜେଡି କର୍ମୀ ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ତାଙ୍କ ଝଲକ ଦେଖିବା ପାଇଁ ଉତ୍ସୁକ ଲୋକେ ବ୍ୟାକୁଳ ହୋଇପଡିଥିଲେ। ନବୀନ ମଧ୍ୟ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଏହା ପୂର୍ବରୁ ନବୀନ ନିବାସ ସମ୍ମୁଖରେ ମହିଳା ବିଜେଡି କର୍ମୀ ଓ ସାଧାରଣ ଲୋକେ ପୂଜାର୍ଚ୍ଚନା କରି ତାଙ୍କ ଆରୋଗ୍ୟ କାମନା କରିଥିଲେ।

ବିଜୁ ମହିଳା ଜନତା ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ଓ ମିନତୀ ବେହେରା ଆଦି ବରିଷ୍ଠ ନେତୃବୃନ୍ଦ ନବୀନ ନିବାସକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଖୋଜଖବର ନେଇଥିଲେ। ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତିତ ହୋଇଥିଲେ ଏବଂ ତାଙ୍କ ଦ୍ରୁତ ଆରୋଗ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଟେଲିଫୋନରେ ନବୀନଙ୍କ ସହିତ କଥା ହୋଇ ସ୍ବାସ୍ଥ୍ୟ ଖବର ନେଇଥିଲେ।

ନବୀନଙ୍କ ଅନୁପସ୍ଥିତିରେ ବିଜେଡିର ଦୈନନ୍ଦିନ କାର୍ଯ୍ୟକ୍ରମ ରାଜନୈତିକ ପରିଚାଳନା କମିଟି (ପିଏସି) ଦ୍ୱାରା ପରିଚାଳିତ ହେବ। ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମଗୁଡିକର ସଂଯୋଜନା କରିବେ।

ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଥିଲେ ଯେ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସେ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଆଙ୍କ ଶୁଭେଚ୍ଛା ତାଙ୍କ ସାଙ୍ଗରେ ଅଛି ବୋଲି କହି ସେ ଶୀଘ୍ର ସୁସ୍ଥ ହୋଇ ପୁଣି ସେବାରେ ଯୋଗଦେବା ପାଇଁ ଆଶା ପ୍ରକାଶ କରିଥିଲେ।