FeaturedLatestNews

୨୭ ତାରିଖରେ ଓଡିଶାରେ ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତା ୨୭ ତାରିଖରେ ଓଡିଶାରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ ଦେଇଛି। ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଏହି ଲଘୁଚାପ ଗଠିତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ରୁ ୨୮ ଜୁନ୍ ମଧ୍ୟରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ।

ଆଇଏମ୍‌ଡି ଅନୁସାରେ, ଦେଶର ଉତ୍ତର-ପୂର୍ବ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଥିବା ଲଘୁଚାପ ଆସନ୍ତା ଦୁଇ ଦିନରେ ଦୁର୍ବଳ ହୋଇଯିବ। ତେବେ ୧୯ରୁ ୨୨ ଜୁନ୍ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ଜୁନ୍ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପ ରୁ ମଧ୍ୟମ ବର୍ଷା ଏବଂ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ଆଶଙ୍କା ରହିଛି। ଆଇଏମ୍‌ଡି କହିଛି, ୨୬ ଜୁନ୍ ସୁଦ୍ଧା ମୌସୁମୀ ଦେଶର ସମସ୍ତ ଅଞ୍ଚଳକୁ ଆସିଯିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ୨୧ ଓ ୨୨ ଜୁନ୍ ରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ହୀରାକୁଦରେ ୩୨.୬ ମିଲିମିଟର, ସମ୍ବଲପୁରରେ ୧୯.୩ ମିଲିମିଟର, ଝାରସୁଗୁଡ଼ାରେ ୧୭.୪ ମିଲିମିଟର, ତାଳଚେରରେ ୧୬.୪ ମିଲିମିଟର, ରାଉରକେଲାରେ ୧୫.୫ ମିଲିମିଟର ଏବଂ ଅନୁଗୁଳରେ ୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜୁନ୍ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୪୨% ନ୍ୟୁନତା ଥିବା ବର୍ଷା ଗତ ଚାରି ଦିନରେ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେତୁ ପୂରଣ ହୋଇଛି। ଶିମିଳିପାଳ ଓ ବରେହିପାଣିରେ ପ୍ରବଳ ବର୍ଷା ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସୀମା ଅତିକ୍ରମ କରିଛି।