ହଠାତ୍ ମଞ୍ଚରେ କାନ୍ଦିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଡେରାଡୁନ (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ୬୭ତମ ଜନ୍ମଦିନ ଉତ୍ତରାଖଣ୍ଡରେ ତିନି ଦିନିଆ ଗସ୍ତରେ ପାଳନ କରୁଛନ୍ତି। ଏହି ଅବସରରେ ଡେରାଡୁନସ୍ଥିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମ୍ପାୱାରମେଣ୍ଟ ଅଫ ପର୍ସନ୍ସ ଉଇଥ ଭିଜୁଆଲ ଡିଜାବିଲିଟିଜ (NIEPVD)ର ଛାତ୍ରଛାତ୍ରୀମାନେ ଏକ ଭାବପ୍ରବଣ ଗୀତ ପ୍ରଦର୍ଶନ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗୀତଟି ଶୁଣି ରାଷ୍ଟ୍ରପତି ଏତେ ଆବେଗିତ ହୋଇପଡ଼ିଥିଲେ ଯେ, ସ୍ଟେଜରେ ହିଁ ଲୁହ ଧାରା ଖସିବାକୁ ଲାଗିଲେ।
ରାଷ୍ଟ୍ରପତି ମୁର୍ମୁ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ, “ମୁଁ ମୋର ଲୁହ ଅଟକାଇ ପାରିଲି ନାହିଁ। ସେମାନେ ମୋ ଜନ୍ମଦିନରେ ଏକ ଗଭୀର ବାର୍ତ୍ତା ଦେଇଛନ୍ତି। ଏହା ମନେ ହେଉଛି ଯେପରି ସେମାନେ କେବଳ ସ୍ୱରରେ ନୁହେଁ, ମନର ଗଭୀରତାରୁ ଗାଇଛନ୍ତି।” ସେ ଆହୁରି କହିଥିଲେ ଯେ, ଏହି ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ପ୍ରୟାସ ତାଙ୍କ ବିଶ୍ୱାସକୁ ଦୃଢ କରିଛି ଯେ ବିକଳାଙ୍ଗ ପିଲାମାନେ ବିଶେଷ କ୍ଷମତା ନେଇ ଜନ୍ମ ନିଅନ୍ତି। ସେ ସେମାନଙ୍କୁ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରମିତ ସିଂହ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିଥିଲେ। ଏହା ଛଡ଼ା, ରାଷ୍ଟ୍ରପତି ମୁର୍ମୁ ରାଜପୁର ରୋଡ଼ରେ ନୂତନ ନିର୍ମିତ ରାଷ୍ଟ୍ରପତି ନିକେତନର ଉଦଘାଟନ କରିଥିଲେ। ଆଗାମୀ ଦିନଗୁଡ଼ିକରେ ସେ ନୈନିତାଲର ରାଜଭବନରେ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିବେ, ଯାହା ଏହି ଐତିହାସିକ ଭବନର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରକାଶିତ ହେଉଛି।
Wishing blessed birthday to our President of India Smt. Droupadi Murmu ji🙏🏻#DROUPADIMURMUBIRTHDAY #DroupadiMurmu @rashtrapatibhvn pic.twitter.com/kqLhWUMEZ8
— ARC (@armor2510) June 20, 2025