ଏବର୍ଷ ରଥଯାତ୍ରା ବର୍ଷାରେ ଭିଜିବା ଆଶଙ୍କା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝାଡ଼ଖଣ୍ଡ ନିକଟରେ ଦୁର୍ବଳ ହୋଇଛି। ଏହା ଫଳରେ ଝାଡ଼ଖଣ୍ଡ ଏବଂ ତାହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଇଏମଡି ଅନୁଯାୟୀ, ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବ, କିନ୍ତୁ ଓଡ଼ିଶାରେ ବର୍ଷା ୨୭ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ। ଫଳସ୍ୱରୂପ, ଜୁନ୍ ୨୭ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବର୍ଷାରେ ଭିଜିବାର ସମ୍ଭାବନା ରହିଛି।
ଆଇଏମଡି ରିପୋର୍ଟ ଅନୁସାରେ, ରାଜ୍ୟରେ କମ୍ ରୁ ମଧ୍ୟମ ବର୍ଷା ଜାରି ରହିବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଝଡ଼ବର୍ଷା ଏବଂ ବଜ୍ରପାତ ସତର୍କତା ଜାରି କରାଯାଇଛି। ଏହା ସହିତ ଏହି ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ମଧ୍ୟରେ ରହିବ ବୋଲି ଆବହାବା କରାଯାଇଛି।
ଜୁନ୍ ୨୪ରୁ ଜୁନ୍ ୨୬ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ବିଶେଷଜ୍ଞଙ୍କ ମତାନୁଯାୟୀ, ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣ ଅପେକ୍ଷା ୫% ଅଧିକ ବର୍ଷା କରିଛି। ରାଜ୍ୟର ୨ଟି ଜିଲ୍ଲାରେ ସାଧାରଣଠାରୁ ଅଧିକ ବର୍ଷା ହୋଇଛି, ୬ଟି ଜିଲ୍ଲାରେ ସାଧାରଣ ବର୍ଷା ହୋଇଛି, ଏବଂ ୧୫ଟି ଜିଲ୍ଲାରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇଛି। ତେବେ, ୬ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ବହୁତ କମ୍ ବର୍ଷା ହୋଇଛି।