ରଥଯାତ୍ରା ପାଇଁ ୫ ସ୍ତରୀୟ ସୁରକ୍ଷା: ୨୭୫ ଏଆଇ କ୍ୟାମେରା, ୧୦,୦୦୦ ପୋଲିସ ମୁତୟନ
ପୁରୀ (ସଂକେତ ଟିଭି): ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗରେ ଏବର୍ଷ ରଥଯାତ୍ରା ଶାନ୍ତି-ଶୃଙ୍ଖଳାର ସହିତ ସମ୍ପନ୍ନ ହେବ। ସେ ସମ୍ବନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରଥଯାତ୍ରା ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ଠିକ୍ ଭାବରେ କରାଯାଉ।
ରଥଯାତ୍ରାର ସୁରକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ପୁରୀ ସହରରେ ୨୭୫ ଟି ଏଆଇ କ୍ୟାମେରା ଏବଂ ଡ୍ରୋନ୍ ମାଧ୍ୟମରେ କଡ଼ା ନଜର ରଖାଯିବ। ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୧୦,୦୦୦ ପୋଲିସ କର୍ମୀ ମୁତୟନ ହେବେ। ବଡ଼ଦାଣ୍ଡ, ସମୁଦ୍ର ବେଳା ଏବଂ ସହର ପ୍ରବେଶପଥରେ ସଶସ୍ତ୍ର ପୋଲିସ ବାହିନୀ ରହିବେ। ଆକାଶରୁ ହେଲିକପ୍ଟର ଏବଂ ସମୁଦ୍ରରେ କୋଷ୍ଟ ଗାର୍ଡ୍ ପାଟ୍ରୋଲିଂ କରିବେ। ଆତଙ୍କବାଦ ରୋକଥାମ ପାଇଁ ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାଡ୍ ମଧ୍ୟ ରହିବ।
ଭକ୍ତଙ୍କ ସୁବିଧା ପାଇଁ ପୋଲିସ ଏକ ଚାଟବୋଟ୍ ଆପ୍ ତିଆରି କରିଛନ୍ତି, ଯାହାଦ୍ଵାରା ଟ୍ରାଫିକ, ପାର୍କିଂ ଏବଂ ନୀତି ସମ୍ପର୍କୀୟ ସୂଚନା ମିଳିବ। ୩୬ ଟି ପାର୍କିଂ ସ୍ଥଳ ଏବଂ ୩୯ ଟି ଟ୍ରାଫିକ କଣ୍ଟ୍ରୋଲ୍ କେନ୍ଦ୍ର ସ୍ଥାପନ କରାଯାଇଛି। ଆମ୍ବୁଲାନ୍ସ୍ ପାଇଁ ସ୍ଵତନ୍ତ୍ର ଗ୍ରୀନ୍ କରିଡର୍ ବ୍ୟବସ୍ଥା କରାଯିବ।
ସ୍ବାସ୍ଥ୍ୟ ବିଭାଗ ୬୯ ଟି ଫାଷ୍ଟ ଏଡ୍ ସେଣ୍ଟର୍, ୬୪ ଟି ଆମ୍ବୁଲାନ୍ସ୍ ଏବଂ ୨୬୫ ଟି ଇମର୍ଜେନ୍ସି ବେଡ୍ ବ୍ୟବସ୍ଥା କରିଛି। ପୁରୀ ଡିଏମ୍ଚିରେ ୩୭୮ ଜଣ ଅତିରିକ୍ତ ଡାକ୍ତର ନିଯୁକ୍ତି କରାଯିବ। ଡାଇରିଆ ପ୍ରତିଷେଧ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଧାୟକ, ଶ୍ରୀମନ୍ଦିର ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରଥ ନିର୍ମାଣ, ଯାନଯାତ୍ରା, ସ୍ୱଚ୍ଛତା, ବିଦ୍ୟୁତ୍ ଆଦି ବିଷୟରେ ଆଲୋଚନା ହୋଇଥିଲା।
“ରଥଯାତ୍ରା ଓଡ଼ିଶାର ଗୌରବ। ଏହାକୁ ସୁରକ୍ଷିତ ଏବଂ ଅଘଟଣମୁକ୍ତ କରିବା ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।