ଓଡ଼ିଶା ସମେତ ୬ ରାଜ୍ୟକୁ ନଯିବା ପାଇଁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତରେ ବୃଦ୍ଧି ପାଉଥିବା ଅପରାଧ, ଦୁଷ୍କର୍ମ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଚିନ୍ତା ପ୍ରକଟ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଗସ୍ତରେ ଆସୁଥିବା ନିଜ ଦେଶର ପର୍ଯ୍ୟଟକ ଏବଂ ଭାରତରେ ରହୁଥିବା ଆମେରିକୀୟ ନାଗରିକଙ୍କ ସୁରକ୍ଷା ନିମନ୍ତେ ଏକ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ମେଘାଳୟ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡକୁ ଲେବଲ-୨ (ସ୍ତର-୨) ସ୍ତରରେ ଚିହ୍ନଟ କରାଯାଇଛି, ଯାହା ଏହି ରାଜ୍ୟଗୁଡ଼ିକରେ ସାଧାରଣତଃ ଅପରାଧ ଏବଂ ଆଇନଶୃଙ୍ଖଳା ଅବସ୍ଥା ବିଷୟରେ ସତର୍କତା ଦର୍ଶାଏ।
ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ କୌଣସି ଅପରାଧ ଘଟିଲେ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଦୋଷୀକୁ ଗିରଫ କରାଯାଉଛି। ସେ ଆଗ୍ରହ ପ୍ରକାଶ କରି କହିଛନ୍ତି ଯେ ମହିଳା ସୁରକ୍ଷା ନିମନ୍ତେ ୬ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲାଯିବ, ଯାହାଦ୍ୱାରା ମାମଲାର ଶୀଘ୍ର ନିଷ୍ପତ୍ତି ହେବ। ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଏହାକୁ ରାଜ୍ୟ ପାଇଁ ଲଜ୍ଜାଜନକ ବୋଲି କହି ପର୍ଯ୍ୟଟନ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ସତର୍କ କରିଛନ୍ତି।
ଆମେରିକାର ପରାମର୍ଶରେ ଭାରତରେ ବଢୁଥିବା ଯୌନ ଉତ୍ପୀଡ଼ନ, ପର୍ଯ୍ୟଟନ ସ୍ଥଳରେ ଅପରାଧ, ଏବଂ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଉଲ୍ଲେଖ କରାଯାଇଛି। ଆମେରିକୀୟ ମହିଳାମାନଙ୍କୁ ଏକୁଟିଆ ଭ୍ରମଣ ନକରିବାକୁ ସୁପାରିଶ କରାଯାଇଛି। ଜମ୍ମୁ-କାଶ୍ମୀର, ଭାରତ-ପାକିସ୍ତାନ ସୀମା, ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଯାତାୟତ ପାଇଁ ଅତିରିକ୍ତ ସତର୍କତା ଆବଶ୍ୟକ ବୋଲି କୁହାଯାଇଛି। ସେହିପରି, ଭାରତରେ GPS ଉପକରଣ ବ୍ୟବହାର କରିବା ବେଆଇନ ବୋଲି ମଧ୍ୟ ଉଲ୍ଲେଖ ରହିଛି।