୨୫ ଜୁନ୍ ରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ଡାକରା ଦେଲା ବିଜେଡି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଛାତ୍ରୀମାନଙ୍କ ବିରୁଦ୍ଧରେ ଅସଦାଚରଣ, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ନୀରବ ରହିଛନ୍ତି ବୋଲି ଅଭିଯୋଗ କରି ବିଜୁ ଯୁବ ଜନତା ଦଳ (ବିଜେଡି) ଆସନ୍ତା ୨୫ ଜୁନ୍ ରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛି।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ ଓ ପୂର୍ବତନ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବ୍ୟୋମକେଶ ରାୟ କହିଛନ୍ତି, “ବିଜେପି ସରକାର କ୍ଷମତାରେ ଆସିବା ପରଠାରୁ ରାଜ୍ୟରେ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗୋପାଳପୁର ଘଟଣା ଭଳି ଘୃଣ୍ୟ ଘଟଣା ସରକାରର ବିଫଳତାକୁ ଉଜାଗର କରୁଛି।”
ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, “ଆସନ୍ତା ୨୫ ଜୁନ୍ରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀ ବର୍ଜନ, କଳା ବ୍ୟାଚ୍ ପରିଧାନ, ପିକେଟିଂ ଓ କୁଶପୁତୁଳା ଦାହ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି, ଯାହା ଏକ ଚିନ୍ତାର ବିଷୟ।”
ଉଭୟ ନେତା ରାଜ୍ୟ ସରକାରଙ୍କୁ ଛାତ୍ରୀ ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ତତକ୍ଷଣାତ୍ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।