ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି: ଭୁବନେଶ୍ୱର-ଆବୁ ଧାବି ବିମାନ ସେବା ସ୍ଥଗିତ
ଭୁବନେଶ୍ୱର (ସଂକେତ ଟିଭି): ମଧ୍ୟ ପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ପରିସ୍ଥିତି ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ୱରରୁ ଆବୁ ଧାବିକୁ ଯାତାୟତ କରୁଥିବା ଦୁଇଟି ବିମାନ (6E 1441 ଏବଂ 6E 1442)ର ଉଡାଣ ବାତିଲ କରିଛି।
ଏହି ବିମାନ ସେବା ଗତ ୧୨ ଜୁନରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ହେଲେ, ମଧ୍ୟ ପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଏୟାର ସ୍ପେସ କଟକଣା ହୋଇଥିବାରୁ ବିମାନ ସେବା ସ୍ଥଗିତ ରଖାଯାଇଛି।
ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ସାଂଘାତିକ ହୋଇଥିବାରୁ ଦୁବାଇ, ଦୋହା, ବାହାରିନ, ଦମ୍ମାମ, କୁଏତ, ମଦିନା ଏବଂ ମସ୍କଟ ଆଦି ସ୍ଥାନକୁ ମଧ୍ୟ ବିମାନ ସେବା ସ୍ଥଗିତ ରଖାଯାଇଛି। ଏହି ବନ୍ଦଦ୍ୱାରା ପ୍ରାୟ ୧୦୦୦ ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ।
ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଏହି ବନ୍ଦଦ୍ୱାରା ଅନେକ ଯାତ୍ରୀଙ୍କ ଯାତ୍ରା ଯୋଜନା ବାଧାପ୍ରାପ୍ତ ହୋଇପାରେ। ସେମାନେ ଏହି ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାକୁ ଏକ ସୁରକ୍ଷା ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଯାତ୍ରୀମାନେ ଇଣ୍ଡିଗୋର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ବିମାନ ସେବାର ଅପଡେଟ୍ ପାଇପାରିବେ। ପୁନଃବୁକିଂ କିମ୍ବା ଫଣ୍ଡ ଫେରସ୍ତ ପାଇଁ ମଧ୍ୟ ବିକଳ୍ପ ରହିଛି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ବିମାନ ଚଳାଚଳ କମ୍ପାନୀଗୁଡିକ ନିଜେ ନିଷ୍ପତି ନେବେ। ବିମାନ ବନ୍ଦର ପକ୍ଷରେ କେବଳ ବିମାନ ଚଳାଚଳ ନିୟନ୍ତ୍ରଣ କରିବାର ଦାୟିତ୍ୱ ରହିଛି।