ରାଜସ୍ୱ ବିଭାଗର ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍ ଉନ୍ମୋଚିତ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜସ୍ୱ ବିଭାଗ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍ ଏବଂ ବିଭାଗର ସଫଳତା ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ନାଗରିକମାନେ ଘରେ ବସି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରି ଜମି ରେଜିଷ୍ଟ୍ରେସନ୍ ପାଇଁ ସ୍ଲଟ୍ ବୁକିଂ, ସାର୍ଟିଫିଏଡ୍ କପି ଏବଂ ଇ-ସି (EC) ପାଇଁ ଆବେଦନ କରିପାରିବେ। ଏଥିରେ ଜମିର ବେଞ୍ଚମାର୍କ ମୂଲ୍ୟ, ସବ୍-ରେଜିଷ୍ଟ୍ରାର ଅଫିସ୍ ସମ୍ପର୍କିତ ତଥ୍ୟ ମଧ୍ୟ ଉପଲବ୍ଧ ହେବ। ଏହା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପେପରଲେସ୍ ଏବଂ କ୍ୟାସଲେସ୍ କରିଛି ଏବଂ ଅଫିସ୍ ଭିଡ୍ ହ୍ରାସ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ଆପ୍କୁ ଡିଜିଟାଲ୍ ଓଡ଼ିଶାର ଏକ ମାଇଲଷ୍ଟୋନ୍ ବୋଲି କହିଛନ୍ତି। ସେ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକଙ୍କ ସୁବିଧା ପାଇଁ ନୂତନ ପ୍ରଯୁକ୍ତି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଉନ୍ମୋଚିତ ସଫଳତା ପୁସ୍ତିକାରେ ବିଭାଗର ଗତ ଏକ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ସଂକଳିତ ହୋଇଛି।
ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଗତ ବର୍ଷର ଦାନା ବାତ୍ୟା ସମୟରେ ରାଜ୍ୟ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ କରିଥିଲା। ଆମର ଦକ୍ଷତା ପ୍ରତି ବିଶ୍ୱର ନଜର ଅଛି, ତେଣୁ ସର୍ବଦା ପ୍ରସ୍ତୁତ ରହିବା ଜରୁରୀ।”
ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀମାନେ ଯୋଗଦାନ କରିଥିଲେ।