CulturalFeaturedLatestNews

ପୁରୀରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, କାଲି ସକାଳ ୯ଟାରୁ ପହଣ୍ଡି 

ପୁରୀ (ସଂକେତ ଟିଭି): ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ବେଶ୍ ସୁରୁଖୁରରେ ଦର୍ଶନ ପ୍ରକ୍ରିୟା ଚାଲିଥିବା ବେଳେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସଠିକ୍ ସମୟରେ ସମ୍ପନ୍ନ ହୋଇଛି। ପ୍ରବଳ ବର୍ଷା ହେଉଥିଲେ ମଧ୍ୟ, ମହାପ୍ରଭୁଙ୍କ କୃପାରେ ଦର୍ଶନ ସମୟରେ ବର୍ଷା ବନ୍ଦ ହୋଇଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ୍ ପୂର୍ବରୁ ଦର୍ଶନ ଆରମ୍ଭ ହୋଇଥିଲା।

ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥତ୍ରୟ ଶ୍ରୀମନ୍ଦିର ନିକଟକୁ ଆସିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ସମସ୍ତ ନୀତିକାନ୍ତି ସଠିକ୍ ସମୟରେ ହୋଇଛି। ଶୁକ୍ରବାର ଦିନ ରଥଯାତ୍ରା ଅବସରରେ ପହଣ୍ଡି ସକାଳ ୯ଟାରୁ ୯.୩୦ ମଧ୍ୟରେ ଅନୁଷ୍ଠିତ ହେବ। ସମ୍ବନ୍ଧିତ ସେବାୟତମାନେ ସଠିକ୍ ସମୟରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏଥିସହିତ, ଜମ୍ମୁ ଓ କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ରଥଯାତ୍ରାରେ ଯୋଗ ଦେବେ।

ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହୋଇଛି। ଏଏସଆଇ ଅଧିକାରୀଙ୍କ ସହିତ ଏକ ବୈଠକ ହୋଇଥିଲା, ଯେଉଁଥିରେ ଭିତର ରତ୍ନଭଣ୍ଡାରର କାର୍ଯ୍ୟ ପ୍ରାୟ ସମାପ୍ତ ହୋଇଛି ବୋଲି ଜଣାଯାଇଛି। ବାହାର ରତ୍ନଭଣ୍ଡାରର ୯୦ଟି ପଥର ବଦଳାଯିବ ଏବଂ ୨୮ ଜୁନରୁ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଏସଆଇ ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବେ। ବାହାର ରତ୍ନଭଣ୍ଡାରର କବାଟରେ ବର୍ମାଟିକ କାଠ ଲଗାଯାଇ ରୁପା ଛାଉଣୀ କରାଯିବ ବୋଲି ପ୍ରଶାସକ ପାଢୀ କହିଛନ୍ତି।