ଆଶାରାମଙ୍କ ଜାମିନ ଅବଧି ୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କଲେ ଗୁଜୁରାଟ ହାଇକୋର୍ଟ
ନୂଆଦିଲ୍ଲୀ (ସଂକେତ ଟିଭି): ଗୁଜରାଟ ହାଇକୋର୍ଟ ବାବା ଆଶାରାମଙ୍କୁ ଏକ ବଡ଼ ଆଶ୍ୱାସନା ଦେଇଛି। ୨୦୧୩ ମସିହାର ଏକ ଯୌନ ନିର୍ଯାତନା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ଅସ୍ଥାୟୀ ଜାମିନ ଅବଧି ୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ହାଇକୋର୍ଟର ବିଚାରପତି ଇଲେଶ ଭୋରା ଏବଂ ସନ୍ଦୀପ ଭଟ୍ଟଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ପୂର୍ବରୁ, ୨୮ ମାର୍ଚ୍ଚରେ ଆଶାରାମଙ୍କୁ ତିନି ମାସର ଜାମିନ ଦିଆଯାଇଥିଲା, ଯାହାର ଅବଧି ୩୦ ଜୁନ୍ରେ ଶେଷ ହେବାର ଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଶାରାମ ବର୍ତ୍ତମାନ ଜାମିନରେ ଅଛନ୍ତି। ତାଙ୍କ ଓକିଲ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପାଇଁ ଅଧିକ ସମୟ ମାଗିଥିବାରୁ କୋର୍ଟ ଜାମିନ ଅବଧି ବୃଦ୍ଧି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨ ଜୁଲାଇରେ ହେବ।
ଆଶାରାମଙ୍କ ଓକିଲ ଯୁକ୍ତି ଦର୍ଶାଇଛନ୍ତି ଯେ, ୨୮ ମାର୍ଚ୍ଚରେ ଜାମିନ ମିଳିବା ପରେ ଯୋଧପୁର ହାଇକୋର୍ଟର ନିର୍ଦ୍ଦେଶ ପାଇଁ ୧୦ ଦିନ ନଷ୍ଟ ହୋଇଥିଲା। ଫଳସ୍ୱରୂପ, ଆଶାରାମ ୭ ଏପ୍ରିଲରେ ଜେଲରୁ ମୁକ୍ତ ହୋଇଥିଲେ। ତେଣୁ, ଓକିଲ କୋର୍ଟଠାରୁ ଅତିରିକ୍ତ ସମୟ ମାଗିଛନ୍ତି, ଯାହା ଦ୍ୱାରା ସେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିପାରିବେ।
ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ଦ୍ୱାରା ପ୍ରଦତ୍ତ ଅନ୍ତରୀଣ ଜାମିନର ଅବଧି ୩୧ ମାର୍ଚ୍ଚରେ ଶେଷ ହେବାରୁ ହାଇକୋର୍ଟ ତିନି ମାସର ଅସ୍ଥାୟୀ ଜାମିନ ଦେଇଥିଲେ। ଗାନ୍ଧୀନଗରର ଏକ କୋର୍ଟ ୨୦୨୩ ଜାନୁଆରୀରେ ଆଶାରାମଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଥିଲେ।
ଏହା ଛଡା, ୨୦୧୩ ମସିହାରେ ରାଜସ୍ଥାନର ତାଙ୍କ ଆଶ୍ରମରେ ଜଣେ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା କରିବାର ଅନ୍ୟ ଏକ ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନର ମାମଲାରେ, ସେ ୨୦୦୧ରୁ ୨୦୦୬ ମଧ୍ୟରେ ସୁରଟର ଜଣେ ମହିଳା ଶିଷ୍ୟାଙ୍କୁ ଯୌନ ନିର୍ଯାତନା କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।