ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଅକାଳ ବିୟୋଗ
ମୁମ୍ବାଇ (ସଂକେତ ଟିଭି): ଶୁକ୍ରବାର ଦିନ ବିଳମ୍ବିତ ରାତିରେ ମୁମ୍ବାଇରେ ଅଭିନେତ୍ରୀ ଓ ମଡେଲ ଶେଫାଳୀ ଜରିୱାଲାଙ୍କ ଅକାଳ ମୃତ୍ୟୁ ଘଟିଛି। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ହଠାତ୍ ବିୟୋଗ କଳାଜଗତ ଏବଂ ପ୍ରଶଂସକଙ୍କୁ ମର୍ମାହତ କରିଛି।
ସୋସିଆଲ ମିଡିଆରେ ସକ୍ରିୟ ଥିବା ଶେଫାଳୀ ମାତ୍ର ୩ ଦିନ ପୂର୍ବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ଶୁକ୍ରବାର ରାତିରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହେଲେ, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶେଫାଳୀଙ୍କ ଘରେ ଫରେନ୍ସିକ୍ ଟିମ୍ ପହଞ୍ଚି ସାକ୍ଷ୍ୟ ସଂଗ୍ରହ କରୁଛି। ମୃତ୍ୟୁର କାରଣ ହୃଦଘାତ ନା ଅନ୍ୟ କିଛି, ତାହା ନିରୂପଣ କରିବାକୁ ପୁଲିସ ଚେଷ୍ଟା ଚାଲିଛି। ତାଙ୍କ ଶବକୁ କୁପର ହସ୍ପିଟାଲରେ ପୋଷ୍ଟମର୍ଟମ୍ ପାଇଁ ନିଆଯାଇଥିଲା।
୨୦୦୨ ମସିହାରେ ମ୍ୟୁଜିକ୍ ଭିଡିଓ କାଣ୍ଟା ଲଗା ଦ୍ୱାରା ଶେଫାଳୀ ଜଣେ ପ୍ରସିଦ୍ଧ ଚେହେରା ଭାବେ ଉଭା ହୋଇଥିଲେ। ମଡେଲିଂ, ବିଜ୍ଞାପନ ଏବଂ ବଲିଉଡ୍ ସିନେମାରେ ସେ ସକ୍ରିୟ ଭାବେ କାମ କରିଥିଲେ। ତାଙ୍କ ଅକାଳ ବିୟୋଗ ଭାରତୀୟ ମନୋରଞ୍ଜନ ଜଗତକୁ ଏକ ବଡ଼ଆଘାତ ଦେଇଛି।