FeaturedLatestNews

ନନ୍ଦିଘୋଷ ରଥ ଟଣାରେ ବିଳମ୍ବ ପାଇଁ ସରକାରଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି): ଗତକାଲି ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଉତ୍ସବରେ ନନ୍ଦିଘୋଷ ରଥ ଟଣାରେ ବିଳମ୍ବ ଘଟିବା ଉପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ପବିତ୍ର ଉତ୍ସବରେ ଅଘଟଣ ଘଟିବା ଦୁଃଖଦାୟକ ଏବଂ ଏଥିରେ ପ୍ରଶାସନିକ ବିଫଳତା ସ୍ପଷ୍ଟ ଦେଖାଯାଇଛି।

ଗତକାଲି ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଯାଇଥିଲା। ଏହା ଫଳରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ନିରାଶ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ଯୋଗୁଁ ଶହ ଶହ ଭକ୍ତ ଆହତ ମଧ୍ୟ ହୋଇଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ଆମେ କାହାକୁ ଦୋଷ ଦେଉନାହୁଁ, କିନ୍ତୁ ଏପରି ଏକ ପବିତ୍ର ଉତ୍ସବରେ ବିଭ୍ରାଟ ଘଟିବା ଗମ୍ଭୀର ବିଷୟ। ଗତ ବର୍ଷ ବଳଭଦ୍ରଙ୍କ ପଡ଼ିଯିବା ଘଟଣା ପରେ ମଧ୍ୟ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଇନାହିଁ। ଏହା ଏକ ଚିନ୍ତାର ବିଷୟ।”

ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ଏହାକୁ ସାଧାରଣ କଥା ବୋଲି କହି ଘୋଡ଼ାଇବାକୁ ଚେଷ୍ଟା କରିଥିବାରୁ ମଧ୍ୟ ସମାଲୋଚନା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହାକୁ ଭଗବାନଙ୍କ ଇଚ୍ଛା ବୋଲି କହି ଦାୟିତ୍ୱ ନେଇନାହାନ୍ତି। ଏହି ଅବ୍ୟବସ୍ଥା ପାଇଁ ସରକାର ଆତ୍ମସମୀକ୍ଷା କରିବା ଉଚିତ୍ ବୋଲି ନବୀନ ପଟ୍ଟନାୟକ ମାଗିଛନ୍ତି।