GeneralLatestNews

ପୁରୀ ରଥଯାତ୍ରାରେ ୭୪୨ ଜଣ ଆହତ, ୧୦ରୁ ଅଧିକ ଗୁରୁତର

ପୁରୀ (ସଂକେତ ଟିଭି) : ଗତକାଲି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ପ୍ରବଳ ଭିଡ଼ ଓ ଗୁଳୁଗୁଳି ଫଳରେ ୭୪୨ ଜଣ ଭକ୍ତ ଆହତ ହୋଇଛନ୍ତି । ରଥ ନିକଟରେ ଠେଲାପେଲା ଘଟଣାରେ ୧୦ରୁ ଅଧିକ ଭକ୍ତ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ବେଳେ, ବଡ଼ଦାଣ୍ଡରେ ତାପମାତ୍ରା ଓ ଗୁଳୁଗୁଳି ଯୋଗୁଁ ଅନେକ ଅସୁସ୍ଥ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।

ରଥ ଟଣା ସମୟରେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ଓ ଭିଡ଼ ଫଳରେ ୭୪୨ ଜଣ ଭକ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଅତିରିକ୍ତ ସଚିବ ବିଜୟ ମହାପାତ୍ର କହିଛନ୍ତି, “୪୮୦ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି, ଅନ୍ୟମାନେ ମଧ୍ୟ ଶୀଘ୍ର ଆରୋଗ୍ୟ ଲାଭ କରିବେ । କୌଣସି ମୃତ୍ୟୁ ଘଟିନାହିଁ ।”

ପାରାଦ୍ୱୀପରୁ ଆସିଥିବା ୬୦ ବର୍ଷୀୟା କବିତା ପଲେଇ ରଥ ଟଣା ସମୟରେ ଭିଡ଼ରେ ନିଖୋଜ ହୋଇଯାଇଛନ୍ତି । ତାଙ୍କ ପୁଅ ଅଜିତ ରଞ୍ଜନ ପଲେଇ କହିଛନ୍ତି, “ବୋଉ ଠେଲାପେଲାରେ ପଡ଼ିଯାଇଥିଲେ, କିନ୍ତୁ ତାଙ୍କୁ ଖୋଜି ପାଇଲୁ ନାହିଁ ।” ସେହିପରି ଯାଜପୁରର ଜଣେ ବୃଦ୍ଧା ମଧ୍ୟ ଚିକିତ୍ସା ପରେ ଅଦୃଶ୍ୟ ହୋଇଯାଇଛନ୍ତି ।

ରଥଯାତ୍ରା ସମୟରେ ସମୁଦ୍ରରେ ଗାଧୋଇବା ପରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ଦେଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଓ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଆହତଙ୍କୁ ଚିକିତ୍ସା ସେବା ଯୋଗାଇଦେଇଛନ୍ତି ।