FeaturedLatestNews

ପୁରୀ ଦଳାଚକଟା ଘଟଣା: ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର (ସଂକେତ ଟିଭି): ପୁରୀର ଶ୍ରଦ୍ଧାବାଲିରେ ଘଟିଥିବା ଦଳାଚକଟା ଘଟଣା ଓ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କୁ ବଦଳି କରାଯାଇଛି। ସେମାନଙ୍କ ସ୍ଥାନରେ ଚଂଚଳ ରାଣାଙ୍କୁ ନୂତନ ଜିଲ୍ଲାପାଳ ଏବଂ ପିନାକ ମିଶ୍ରଙ୍କୁ ଏସପି ଭାବେ ନିଯୁକ୍ତି ଦିଆଯାଇଛି।

ଏହା ସହିତ, ଆଡିସନାଲ ଏସପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି। ମୃତ ଶ୍ରଦ୍ଧାଳୁଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଶ୍ରଦ୍ଧାବାଲି ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଉନ୍ନୟନ କମିଶନରଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରଥଯାତ୍ରା ସମୟରେ ଭିଡ଼ ପରିଚାଳନାରେ ବିଫଳତା ଦେଖାଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପଦକ୍ଷେପ ନେଇଛନ୍ତି। ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ସେ ଆଗାମୀ ଦିନଗୁଡ଼ିକରେ ହେବାକୁ ଥିବା ରଥଯାତ୍ରାର ସୁଚାରୁ ପରିଚାଳନା ନିଶ୍ଚିତ କରିବେ।

ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କ ମତରେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଆ ସଂସ୍କୃତିର ଗର୍ବ, ତେଣୁ ଏଥିରେ କୌଣସି ଅବହେଳା ସହ୍ୟ ନୁହେଁ। ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଛନ୍ତି।