FeaturedLatestNews

ପୁରୀ ଶରଧାବାଲିରେ ଦଳାଚକଟା: ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ଭୁବନେଶ୍ବର (ସଂକେତ ଟିଭି): ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୋଲଗଡ଼ର ବାସନ୍ତୀ ସାହୁ (୩୬), ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣାର ପ୍ରଭାତୀ ଦାସ। ଘଟଣାସ୍ଥଳରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ରବିବାର ଭୋର ୪ଟା ୨୦ ମିନିଟ୍ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ଅତ୍ୟଧିକ ଭିଡ଼ ଓ ଠେଲାପେଲା ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଚାରମାଳ କାଠ ବୋଝେଇ ଏକ ଟ୍ରକ୍ ହଠାତ୍ ଭିଡ଼ ଭିତରକୁ ପଶିଯାଇଥିଲା, ଯାହା ଫଳରେ ଅଧିକ ଅସ୍ଥିରତା ସୃଷ୍ଟି ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରାଯିବ ବୋଲି ସେ ଜଣାଇଛନ୍ତି। ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।

ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ସ୍ଵାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇ ଚଞ୍ଚଲ୍ ରାଣା (ଜିଲ୍ଲାପାଳ) ଓ ପିନାକ ମିଶ୍ର (ଏସ୍‌ପି) ଙ୍କୁ ନିଯୁକ୍ତି ଦିଆଯାଇଛି। ଡିସିପି ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଆ ସଂସ୍କୃତିର ଗର୍ବ। ତଥାପି, ଭକ୍ତଙ୍କ ସୁରକ୍ଷା ପ୍ରତି ଅବହେଳା ପାଇଁ ପ୍ରଶାସନ କଠୋର ଭାବେ ଜବାବଦେହି ଦେବ ବୋଲି ସରକାର ଘୋଷଣା କରିଛନ୍ତି।