FeaturedLatestNews

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମନ୍ବୟ ଗୁରୁତ୍ଵପୂର୍ଣ୍ଣ: ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅରବିନ୍ଦ

ପୁରୀ (ସଂକେତ ଟିଭି): ପୁରୀର ରଥଯାତ୍ରା ଶୃଙ୍ଖଳାର ମେରୁଦଣ୍ଡ ହେଉଛି ସମନ୍ବୟ। ଏଣୁ ଏହି ମହାଯାତ୍ରାକୁ ସୁଚାରୁ ଭାବେ ସମାପନ କରିବା ପାଇଁ ସମନ୍ବୟର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ପରିସ୍ଥିତି ଯାହା ବି ହେଉ, ସମନ୍ବୟର ଅଭାବ କେବେ ବି ଘଟିବା ଉଚିତ୍ ନୁହେଁ। ଉଚ୍ଚ ଶିକ୍ଷା କମିସନର ଏବଂ ସଚିବ, ତଥା ରଥଯାତ୍ରାର ସ୍ବତନ୍ତ୍ର ଅଧିକାରୀ ଅରବିନ୍ଦ ଅଗ୍ରୱାଲ, ସୋମବାର ଦିନ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ନବନିଯୁକ୍ତ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିକାରୀମାନଙ୍କୁ ସମନ୍ବୟ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ରାଣା କହିଛନ୍ତି, “କାମ ଏମିତି କର ଯେମିତି ଭକ୍ତମାନେ ଆପଣଙ୍କୁ ଆଶୀର୍ବାଦ ଦେବେ।”

ଏବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ଆଡ଼ପ ମଣ୍ଡପରେ ଉପସ୍ଥିତ ହୋଇଛନ୍ତି। ତୀବ୍ର ଖରାର ମଧ୍ୟରେ ମଧ୍ୟ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି। ଏହି ଦର୍ଶନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଜିଲ୍ଲା ପ୍ରଶାସନର ପ୍ରମୁଖ ଦାୟିତ୍ଵ ହୋଇଛି।

ଏଥିପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାରିକେଡ଼ରେ ଅପେକ୍ଷାରତ ଭକ୍ତଙ୍କୁ ପାନୀୟ ଜଳ ଏବଂ ଓଆରଏସ୍ ପ୍ରଦାନ କରିବା ସହିତ, ଯେ କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି।