FeaturedLatestNews

ବାଲେଶ୍ୱରରେ ଭୟଙ୍କର ବନ୍ୟା: ହଜାର ହଜାର ଲୋକ ଜଳବନ୍ଦୀ

ବାଲେଶ୍ୱର (ସଂକେତ ଟିଭି): ଉତ୍ତର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବସ୍ତା, ଜଳେଶ୍ୱର, ଉଦଳା, ଭୋଗରାଇ ଓ ବାଲିଆପାଳ ଆଦି ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିଯିବା ଫଳରେ ଗାଁ ଗାଁରେ ପାଣି ପଶିଯାଇଛି। ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି, ଯାତାୟତ ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା ହୋଇଛି। ଆଖି ବୁଲାଇଲେ ଚାରିପାଖେ ଖାଲି ପାଣି ଦେଖାଯାଉଛି।

ଭୋଗରାଇ ଓ ବାଲିଆପାଳରେ ସଙ୍କଟ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବା ଫଳରେ ଭୋଗରାଇର ୨୨ଟି ଗାଁ ଓ ବାଲିଆପାଳର ୨୫ଟି ଗାଁ ପାଣି ଭିତରେ ବୁଡି ଯାଇଛି। ବସ୍ତା ବ୍ଲକର ୩୦ରୁ ଅଧିକ ଗାଁ ଜଳକା ନଦୀର ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ହଜାରହାଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ରାଜ୍ୟ ସରକାରର ପ୍ରତିକ୍ରିୟା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ମୟୂରଭଞ୍ଜରେ ୫,୭୬୦ ଲୋକଙ୍କୁ ରିଲିଫ୍ କେନ୍ଦ୍ରରେ ରଖାଯାଇଛି, ଯେଉଁଠି ୪୪ଟି ସ୍ଥାନରେ ଫ୍ରି କିଚେନ୍ ଚାଲୁ ରହିଛି। ବାଲେଶ୍ୱରରେ ୧,୧୩୮ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ଓଡରାଫ୍, ଅଗ୍ନିଶମ ଓ ଏନଡିଆରଏଫ୍ ଟିମ୍ ମୋଟାମୋଟି ଭାବେ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ରହିଛନ୍ତି।

ବନ୍ୟାର ମୁଖ୍ୟ କାରଣ ହେଉଛି ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ପାଣି ଛାଡିବା। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ୧୧.୫୪ ମିଟର ଏବଂ ଜଳକା ନଦୀରେ ୫.୮୪ ମିଟର ରେକର୍ଡ ହୋଇଛି, ଯାହା ବିପଦ ସୀମାରୁ ଉପରେ ଅଛି। ରାଜ୍ୟ ସରକାର ଝାଡ଼ଖଣ୍ଡ ସରକାର ସହିତ ସମ୍ପର୍କ ରକ୍ଷା କରି ପରିସ୍ଥିତି ନିୟନ୍ତ୍ରଣରେ ଲାଗିରହିଛନ୍ତି।

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ପାଣି ପଶିଥିବା ଅଞ୍ଚଳରେ ପାନୀୟ ଜଳ ଉତ୍ସଗୁଡିକୁ ପୁନର୍ବାର ସାନିଟାଇଜ୍ କରାଯାଇଛି। ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି ତାଙ୍କୁ ଜଣାଯାଇଛି।

ବନ୍ୟା ଯୋଗୁଁ ୭ରୁ ୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲେ ମଧ୍ୟ ମରାମତି କାର୍ଯ୍ୟ ଶୀଘ୍ର ଶେଷ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ମିଳିତ ଭାବେ ବନ୍ୟା ପରିସ୍ଥିତି ମୋକାବିଲା କରୁଛନ୍ତି।