ବିଏମସି ଅଧିକାରୀଙ୍କୁ ଆକ୍ରମଣ ଘଟଣା: ରାଜ୍ୟ ସରକାରକୁ ଟାର୍ଗେଟ କଲା କଂଗ୍ରେସ
ଭୁବନେଶ୍ବର (ସଂକେତ ଟିଭି): ବିଏମସିର ଅତିରିକ୍ତ କମିସନରଙ୍କୁ ଆକ୍ରମଣ କରାଯାଇଥିବା ଘଟଣାକୁ ଲକ୍ଷ୍ୟ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ଆକ୍ରମଣ ବିରୋଧରେ କଂଗ୍ରେସ ପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସରକାରଙ୍କ ପ୍ରତି କଠୋର ପ୍ରଶ୍ନ ଉଠାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସରକାର ଏହି ଘଟଣାର ଜବାବ ଦେବେ କି ନାହିଁ ତାହା ନେଇ ସନ୍ଦେହ ରହିଛି।
କଂଗ୍ରେସ ନେତୃବୃନ୍ଦ ଦାବି କରିଛନ୍ତି ଯେ, ଏଭଳି ହିଂସ୍ର ଘଟଣା ଆରମ୍ଭ କରିବାର ଟ୍ରେଣ୍ଡ ବିଜେପି ଦଳ ପ୍ରବର୍ତ୍ତାଇଛି। ଫଳସ୍ୱରୂପ, ସରକାରୀ ଅଧିକାରୀମାନେ ନିର୍ଭୟରେ ଓ ଠିକ୍ ଭାବରେ କାର୍ଯ୍ୟ କରିପାରୁ ନାହାନ୍ତି। ଜଣେ ଅଧିକାରୀଙ୍କ ପ୍ରତି ହୋଇଥିବା ଏହି ବ୍ୟବହାର ଆଇଏଏସ, ଓଏଏସ ଓ ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅପମାନ ସଦୃଶ ବୋଲି କଂଗ୍ରେସ ମତ ରଖିଛି।
ଏହି ଘଟଣାରେ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ତତକ୍ଷଣାତ୍ ଗିରଫ କରାଯିବା ଉଚିତ ବୋଲି କଂଗ୍ରେସ ଦାବି କରିଛି। ସେହିପରି ଯେଉଁ ବ୍ୟକ୍ତିଙ୍କ ପାଇଁ ଏହି ଘଟଣା ଘଟିଛି, ସେମାନଙ୍କୁ ମଧ୍ୟ ଦଣ୍ଡିତ କରାଯାଏ ବୋଲି କୁହାଯାଇଛି। ଏଥିସହ ସରକାରୀ ଅଧିକାରୀମାନଙ୍କ ପ୍ରତି କ୍ଷମା ପ୍ରାର୍ଥନା କରାଯିବା ଆବଶ୍ୟକ ବୋଲି କଂଗ୍ରେସ ମତ ଦେଇଛି।
ଏଥିସହ ମୁଖ୍ୟମନ୍ତ୍ରୀ ନିଜ ସର୍କୁଲାର ଜାରି କରି ସ୍ପଷ୍ଟ କରନ୍ତୁ ଯେ, ଜନଶୁଣାଣି ସଭାକୁ କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ ଯାଇପାରିବେ। ସରକାର ନିଜର ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ସୁଧାର କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଅନ୍ୟଏକ ପ୍ରସଙ୍ଗରେ, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବା କିମ୍ବା କ୍ଷମା ମାଗିବା ବର୍ତ୍ତମାନ କ’ଣ ସମାଧାନ ଆଣିବ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ସଭାପତି ଏବଂ କଂଗ୍ରେସର ଅନ୍ୟ ଗଣ୍ୟମାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।